ଦେବଗଡ଼,ଏନ୍ଏନ୍ଏସ୍ : ଜାନୁଆରୀରେ ପ୍ରେମ ପରେ ଏପ୍ରିଲରେ ଦୁଷ୍କର୍ମ କରି ପ୍ରତାରକ ପ୍ରେମିକ ଗିରଫ । ଗିରଫ ଅଭିଯୁକ୍ତ ଜଣକ ହେଲେ ସାହିନ ବେହେରା । ମିଳିଥିବା ରିପୋର୍ଟ ମୁତାବକ, ବାରକୋଟ ଥାନାଞ୍ଚଳର ଜଣେ ଆଦିବାସୀ ଯୁବତୀ ଦେବଗଡ଼ ସହରରେ ଥିବା ଏକ କଲେଜରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ । ଗତ ଜାନୁଆରୀରେ ଯୁବତୀଙ୍କର ତାଙ୍କ ଏକ ବାନ୍ଧବୀଙ୍କ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଅଭିଯୁକ୍ତ ସାହିନ ସହ ଦେଖା ହୋଇଥିଲା । ସାହିନ ପୀଡ଼ିତାଙ୍କ ବାନ୍ଧବୀଙ୍କଠାରୁ ଫୋନ ନମ୍ବର ନେଇ ଯୋଗାଯୋଗ କରି ପ୍ରଥମେ ତାଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲା । ତେବେ ଯୁବତୀ ଜଣକ ଦେବଗଡ଼ ଆସୁଥିବା ସୁଯୋଗରେ ଅଭିଯୁକ୍ତ ପ୍ରେମିକ ବିବାହ ପାଇଁ ପ୍ରସ୍ତାବ ଦେବାସହ ଗତ ଏପ୍ରିଲରେ ବୁଲିବା ପାଇଁ ଡାକି ଯୁବତୀକୁ ରାସ୍ତାକଡ଼ ଏକ ବୁଦା ମୂଳେ ବଳପୂର୍ବକ ଦୁଷ୍କର୍ମ କରିଥିଲା । ପରେ ଧରାଛୁଆଁ ନଦେବା ସହ ସାହିନ ବିବାହ ପାଇଁ ଲକ୍ଷେ ଟଙ୍କା ଦାବୀ କରିଥିଲା । ସେଥିପାଇଁ ଯୁବତୀ ଓ ତାଙ୍କ ପରିବାର ଲୋକ ସୁନାମୁଣ୍ଡାସ୍ଥିତ ପ୍ରତାରକ ପ୍ରେମିକ ଘରକୁ ଆସି ଘଟଣା ସମ୍ପର୍କରେ ଆଲୋଚନା କରିବାକୁ ଚାହିଁଥିଲେ ମଧ୍ୟ ପ୍ରେମିକ ପରିବାର ଲୋକେ ସେମାନଙ୍କୁ ଗାଳି ଗୁଲଜ ସହ ହତ୍ୟା ଧମକ ଦେଇ ସେଠାରୁ ତଡ଼ି ଦେଇଥିଲେ । ଶେଷରେ ନ୍ୟାୟ ପାଇଁ ପୀଡ଼ିତା ଜଣକ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଅଭିଯୁକ୍ତ ପ୍ରେମିକ ଦେବଗଡ଼ ଥାନା ଅନ୍ତର୍ଗତ ସୁନାମୁଣ୍ଡା ଗ୍ରାମର ସାହୀନ ବେହେରା ବିରୁଦ୍ଧରେ ଦୁଷ୍କର୍ମ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରିବା ସହ ଗିରଫ କରିଛି ।