ରାଜଧାନୀରେ ମାତିଲେ ଲୁଟେରା, ଝାମ୍ପିନେଲେ ସୁନା ଚେନ୍

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ପୁଣସ୍ମାତିଲେ ଲୁଟେରା। ଆଜି ଅପରାହ୍ନରେ ୨ଟି ଲୁଟ ଘଟଣା ସାମ୍ନାକୁ ଆସିଛି। ଆଚାର୍ଯ୍ୟ ବିହାର ଛକ ନିକଟରେ ଜଣେ ଯୁବତୀଙ୍କ ବେକରୁ ଲୁଟେରାମାନେ ସୁନା ଚେନ ଝାମ୍ପିନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ସେହିପରି ବାଲିପାଟଣା ଥାନା ଅଧୀନ ଚଣାହାଟ ଛକରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଜଣେ କଲେକ୍ସନ ଏଜେଣ୍ଟଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଆଜି ଅପରାହ୍ଣରେ ଯୁବତୀ ଆଚାର୍ଯ୍ୟ ବିହାର ଛକ ଦେଇ ସ୍କୁଟିରେ ସୈନିକ ସ୍କୁଲ ଆଡ଼କୁ ଯାଉଥିଲେ। ଏହି ସମୟରେ ୨ ଜଣ ଲୁଟେରା ବାଇକରେ ଯୁବତୀଙ୍କୁ ଆପୋଲୋ ହସ୍ପିଟାଲ ନିକଟରେ ସୁନା ଚେନ ଝାମ୍ପି ନେଇ ସେଠାରୁ ଫେରାର ହୋଇଯାଇଥିଲେ। ଏହି ସମୟରେ ଯୁବତୀ ଜଣକ ଭାରସାମ୍ୟ ହରାଇ ସ୍କୁଟିରୁ ପଡ଼ିଯାଇଥିଲେ। ଏ ନେଇ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି।ସେହିପରି ଅନ୍ୟ ଏକ ଘଟଣା ଘଟିଛି ବାଲିପାଟଣା ଥାନା ଅଞ୍ଚଳରେ ଘଟିଛି। ଆଜି ସନ୍ଧ୍ୟାରେ ଏକ ଘରୋଇ କମ୍ପାନୀର କଲେକ୍ସନ ଏଜେଣ୍ଟ ବାଇକରେ ଯାଉଥିବା ବେଳେ ୨ ଜଣ ଲୁଟେରା ବନ୍ଧୁକ ଦେଖାଇ ୧ ଲକ୍ଷ ୧୨ ହଜାର ଲୁଟ କରି ଫେରାର ହୋଇଯାଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।