କରୋନା ପରୀକ୍ଷା ପାଇଁ ଅଳିଆ ଗଦା କଡରେ ଲମ୍ବା ଲାଇନ

ଦେବଗଡ଼,ଏନ୍ଏନ୍ଏସ୍: କରୋନା ଭୂତାଣୁକୁ ନେଇ ସାରା ଦେଶ ଆତଙ୍କିତ ରହିଛି। ସଂକ୍ରମଣକୁ ରୋକିବା ପାଇଁ ଟେଷ୍ଟିଂ ପ୍ରକ୍ରିୟାକୁ ବୃଦ୍ଧି କରାଯାଇଛି। ଦେବଗଡ଼ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବେଲଗାମ ହୋଇଛି। ଏହି କ୍ରମରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅଳିଆ ଗଦା କଡ଼ରେ ଜନସାଧାରଣ ଆତଙ୍କିତ ଅବସ୍ଥାରେ କୋଭିଡ ଟେଷ୍ଟ କରାଇବା ପାଇଁ ଲମ୍ବା ଲାଇନରେ ଛିଡା ହୋଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗର ଆଣ୍ଟିଜେନ ଏବଂ ଆରଟିପିସିଆର ପରୀକ୍ଷା ପାଇଁ ବ୍ୟାପକ ପ୍ରଚାର ପ୍ରସାର ଫଳରେ ଜନସାଧାରଣଙ୍କ ମଧ୍ୟରେ ଏହି ପରୀକ୍ଷା କରାଇବା ପାଇଁ ଆଗ୍ରହ ପ୍ରକାଶ ପାଇଛି। ଫଳରେ ଦୈନିକ ଶହ ଶହ ଜନସାଧାରଣ କୋଭିଡ ପରୀକ୍ଷା ପାଇଁ ଲମ୍ବା ଧାଡିରେ ଛିଡା ହେଉଛନ୍ତି। ମାତ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାବ ସଂଗ୍ରହ ପାଇଁ ରହିଥିବା ସରକାରୀ ନିର୍ଦ୍ଦେଶାବଳୀକୁ ଅଣଦେଖା କରାଯାଉଛି। ସେହିପରି କୋଭିଡ ପରୀକ୍ଷାର ପରିଚାଳନା ନିମନ୍ତେ କର୍ମଚାରୀ ଅଭାବ ସାଙ୍ଗକୁ ପ୍ରବଳ ଜନ ଗହଳି ହେଉଥିବାରୁ ସ୍ୱାବ ସଂଗ୍ରହ କରୁଥିବା କର୍ମଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଥିଲା। ଗହଳିକୁ ନିୟନ୍ତ୍ରଣ କରିବାକୁ ଯାଇ ଡାକ୍ତରଖାନା କର୍ତ୍ତୃପକ୍ଷ ଆଜି ଡାକ୍ତରଖାନା ପଛପଟ ରାସ୍ତା ଦେଇ ସ୍ୱାବ ସଂଗ୍ରହ ସ୍ଥଳକୁ ଯିବା ପାଇଁ ଜନସାଧାରଣଙ୍କୁ କହିଥିଲେ।

ଏଥିସହ ଏକ ସମୟରେ ୧୦ଜଣ ଲେଖାଏଁ ଲୋକଙ୍କୁ ପ୍ରବେଶ ପାଇଁ ବ୍ୟବସ୍ଥା ହୋଇଥିଲା। ମାତ୍ର ଶତାଧିକ ଲୋକ ରାସ୍ତା ଉପରେ ଲମ୍ବା ଧାଡିରେ ଛିଡ଼ା ହୋଇଥିବା କାରଣରୁ ଉକ୍ତ ରାସ୍ତା ଦେଇ ଯିବାଆସିବା କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା। ସେହିପରି ଡାକ୍ତରଖାନା ପରିସର ପଛପଟ ରାସ୍ତା କଡରେ ଡାକ୍ତରଖାନାରୁ ବାହରୁ ଥିବା ସିରିଞ୍ଜ, ବ୍ୟାଣ୍ଡେଜ, ତୁଳା, ସାଲାଇନ ବୋତଲ ପଡ଼ିଛି। ଫଳରେ କୋଭିଡ ଭୂତାଣୁ ସହ ଅନ୍ୟ ରୋଗ ସଂକ୍ରମଣର ସମ୍ଭାବନା ରହିଛି।