ସନ୍ଧ୍ୟାରେ କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କାୟା ମେଲାଇ ଚାଲିଛି କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ବଢି ଚାଲିଛି। ଏଥିମଧ୍ୟରେ ମଙ୍ଗଳବାର ସନ୍ଧ୍ୟାରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।

ଏହି ସମୀକ୍ଷା ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ଜିଲ୍ଲା ମାନଙ୍କରେ ବଢୁଥିବା ସଂକ୍ରମିତ ହାରରେ ରୋକ ଓ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ବୈଠକରେ ଆଲୋଚନା ହେବ। ସଂକ୍ରମଣ ସଂଖ୍ୟା ବୃଦ୍ଧି ଯୋଗୁଁ ରାଜ୍ୟର ଅଧା ଜିଲ୍ଲା ରେଡ ଜୋନରେ ପରିଣତ ହୋଇସାରିଲାଣି। ଏଭଳି ସ୍ଥିତିରେ କରୋନା ସହ ମୁକାବିଲା କରିବା ନେଇ ଆଜିର ବୈଠକ ଗୁରୁତ୍ୱପୂର୍ଣ୍ଣ। ସନ୍ଧ୍ୟା ୫ଟା ୩୦ରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ମୁକାବିଲା ନେଇ ଟିପ୍ପ ଦେବେ ନବୀନ। ଏହା ସହ ମେ’ ୧ରୁ ସମୂହ ଟିକାକରଣ ଆରମ୍ଭ ହେଉଥିବାରୁ ନୂଆ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେବେ ମୁଖ୍ୟମନ୍ତ୍ରୀ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୁଲିସ ଡିଜି ଅଭୟ, ଉନ୍ନୟନ କମିସନର ପ୍ରଦୀପ ଜେନା, ଏସିଏସ ପ୍ରଦୀପ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିବେ।