ନ୍ୟୁଜିଲାଣ୍ଡରୁ ଲକଡାଉନ୍ ଉଠିଲା

ୱେଲିଂଟନ୍,ଏଜେନ୍ସି: ନ୍ୟୁଜିଲାଣ୍ଡର ବୃହତ୍ତମ ସହର ଅକଲାଣ୍ଡରେ ଗତ ରବିବାର ଠାରୁ ଲାଗୁ ହୋଇଥିବା ଲକଡାଉନକୁ ମଙ୍ଗଳବାର ରାତିରେ ଉଠାଇ ଦିଆଯାଇଛି। ଅକଲାଣ୍ଡ ସହରରେ କରୋନା ସଂକ୍ରମଣ ଗୁରୁତର ରୂପ ନେବାରୁ ସରକାର ତିନିଦିନ ପାଇଁ ଲକଡାଉନ୍ ଘୋଷଣା କରିଥିଲେ। ଲକଡାଉନ୍ ଉଠିଯିବା ପରେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ଣ୍ଣ ଏହା ଏକ ଶୁଭ ସମ୍ବାଦ ବୋଲି କହିଛନ୍ତି। ପୂର୍ବରୁ ସେଠାରେ ୬ ମାସ ପାଇଁ ଲକଡାଉନ୍ ଜାରି ହୋଇଥିଲା, ମାତ୍ର ସ୍ଥିତିରେ ଉନ୍ନତି ଘଟିବାରୁ ଏହାକୁ ହଟାଇ ଦିଆଯାଇଥିଲା। ଇତିମଧ୍ୟରେ କ୍ୟାବିନେଟ୍ ବୈଠକ ବସି କରୋନା ପରିସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆରଡର୍ଣ୍ଣ କହିଛନ୍ତି, ଗୋଟିଏ ପରିବାରର ବାପା ମା’ ଓ ୧୩ବର୍ଷର ଝିଅକୁ କରୋନା ହୋଇଥିଲା। ସେମାନଙ୍କ ଠାରୁ ଆଉ ତିନିଜଣ ସଂକ୍ରମିତ ହେଲେ। ଏହି ୧୩ ବର୍ଷର ଝିଅ ସଂସ୍ପର୍ଶରେ ଆସିଥିବା ତା’ର ଜଣେ ସହପାଠୀ ଆକ୍ରାନ୍ତ ହୋଇଥିବାବେଳେ ତା’ର ବାପା ମା’ ମଧ୍ୟ ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ସଂକ୍ରମଣ ରୋକିବା ପାଇଁ ବିହିତ ପଦକ୍ଷେପ ନିଆଗଲା ଏବଂ ଅକଲାଣ୍ଡ ସହରରେ ତତ୍କାଳ ତିନିଦିନ ପାଇଁ ଲକଡାଉନ୍ ଜାରି କରାଗଲା। ଏବେ ଲକଡାଉନ୍ ଅବଧି ଶେଷ ହୋଇଥିଲେ ମଧ୍ୟ ଆଉ କେତେକ କଟକଣା ଆସନ୍ତା ସୋମବାର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସରକାରୀ ସୂତ୍ରରେ କୁହାଯାଇଛି।