ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌର ପରିଷଦ ଅଧୀନରେ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଥିବା ରଙ୍ଗିଆଗୁଡ଼ାସ୍ଥିତ ଜୟ ମା’ ସନ୍ତୋଷୀ ଏସଏଚଜି ଗ୍ରୁପର ପ୍ରାପ୍ୟ ପ୍ରଦାନ କରାଯାଇନଥିବାରୁ ଆଜି ଦେବଗଡ଼ ଆହାର କେନ୍ଦ୍ରରେ ତଲା ଝୁଲୁଥିବା ଦେଖିବାକୁ ମିଳିଛି । ମିଳିଥିବା ରିପୋର୍ଟ ମୁତାବକ, ବିଗତ ୧୦ ମାସ ପୂର୍ବରୁ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱ ନେଇଥିବା ଜୟ ମା’ ସନ୍ତୋଷୀ ଏସଏଚଜି ଗ୍ରୁପ ଦେବଗଡ଼ ପୌରାଞ୍ଚଳରେ ଥିବା ୨ଟି ଆହାର କେନ୍ଦ୍ରରେ ଆହାର ଯୋଗାଇ ଆସୁଥିଲେ । କିନ୍ତୁ ପୌର ପରିଷଦ ପକ୍ଷରୁ ପ୍ରତି ମାସରେ ସେମାନଙ୍କ ପ୍ରାପ୍ୟ ପ୍ରଦାନବେଳେ ଅବ୍ୟବସ୍ଥା ଉପୁଜୁ ଥିଲା । ଏହିକ୍ରମେ ଗତ ମାର୍ଚ୍ଚ ମାସର ପ୍ରାପ୍ୟ ଆଜି ଯାଏଁ ସେମାନଙ୍କୁ ମିଳିନଥିବାରୁ ପୂର୍ବରୁ ଏନେଇ ଏସଏଚଜି ସଦସ୍ୟାମାନେ ପୌର କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିବା ସହ ଏହାର ସମାଧାନ ପାଇଁ ଅନୁରୋଧ କରିଥିଲେ । ହେଲେ କୌଣସି ସମାଧାନ ନହେବାରୁ ସେମାନଙ୍କ ପାଇଁ ଆହାର କେନ୍ଦ୍ର ଚଳାଇବା ସମ୍ଭବ ନ ହେବାରୁ ଆଜି ବନ୍ଦ କରି ଦେଇଛନ୍ତି । ଅନ୍ୟପଟେ କୌଣସି ଆଗୁଆ ସୂଚନା ନଥିବାରୁ ବହୁ ଜନସାଧାରଣ ଆହର କେନ୍ଦ୍ରକୁ ଆହାର ପାଇଁ ଆସି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି । ସେହିପରି ମୁଖ୍ୟ ଆହାର କେନ୍ଦ୍ରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ଆହର କେନ୍ଦ୍ରକୁ ଆହର ପହଞ୍ଚାଇବା ପାଇଁ ଯୋଗାଇ ଦିଆଯାଇଥିବା ଗାଡ଼ି ଦୀର୍ଘ ମାସ ଧରି ଅଚଳ ହୋଇପଡ଼ିଛି । ଭଡ଼ା ଗାଡ଼ିରେ ଗୋଟିଏ କେନ୍ଦ୍ରରୁ ଅନ୍ୟ କେନ୍ଦ୍ରକୁ ଆହାର ପରିବହନ କରାଯାଉଥିବାବେଳେ ଗାଡ଼ି ଭଡ଼ା ମଧ୍ୟ ପ୍ରଦାନ କରାଯାଉନଥିବା ଜୟ ମା’ ସନ୍ତୋଷୀ ଏସଏଚଜି ସଭାନେତ୍ରୀ ଅଭିଯୋଗ କରିଛନ୍ତି । ଏନେଇ ପୌରନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ରଙ୍କ ମତାମତ ନେବାରୁ ପୌରପରିଷଦ ଆକାଉଣ୍ଟାଣ୍ଟ କାର୍ଯ୍ୟାଳୟରେ ଉପସ୍ଥିତ ରହୁଥିବାରୁ ଏଭଳି ସମସ୍ୟା ଉପୁଜିଥିବା ପ୍ରକାଶ କରିବା ସହ ଏସଏଚଜି ଗ୍ରୁପକୁ ସେମାନଙ୍କ ବକେୟା ପ୍ରାପ୍ୟ ବାବଦରେ ଆଜି ଚେକ ପ୍ରଦାନ କରିଦିଆଯାଇଛି ଏବଂ ସବୁକିଛି ସ୍ୱାଭାବିକ ହୋଇଯିବ ବୋଲି ପ୍ରକାଶ କରିଛନ୍ତି ।