ନିର୍ଦ୍ଦେଶ ପରେ ବି କମୁନି ବସ୍ତାନି ବୋଝ

ଘରୋଇ ସ୍କୁଲ କୋଟିଏ ଟଙ୍କାର ବହି, ଖାତା ବିକୁଛନ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଚାପରୁ ମୁକ୍ତି ଦେବା ଲାଗି ଉଭୟ ସ୍କୁଲ ବ୍ୟାଗ୍ ଓ ହୋମୱାର୍କ ଉପରେ କଟକଣା ଲାଗିଲା। ସ୍କୁଲ ଛାତ୍ରଛାତ୍ରୀଙ୍କର ସ୍କୁଲ ବ୍ୟାଗ ଓଜନ କେତେ ରହିବ ତାହା ଧାର୍ଯ୍ୟ ହୋଇଛି। ଏପରିକି ସ୍କୁଲ ପକ୍ଷରୁ ଏନସିଇଆରଟି ପୁସ୍ତକ ବ୍ୟତୀତ କୌଣସି ଅନ୍ୟ ବହି ଆଣିବାକୁ ପିଲାଙ୍କୁ କୁହାଯିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ହେଲେ ରାଜ୍ୟରେ ଥିବା ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ କର୍ତ୍ତୃପକ୍ଷ ଏହି ନିୟମକୁ ଅବମାନନା କରୁଛନ୍ତି। ଫଳରେ ସରକାରଙ୍କ ନିର୍ଦ୍ଦେଶ ପରେ ବି କମିଲାନି ପିଲାଙ୍କ ବସ୍ତାନି ବୋଝ।

ଘରୋଇ ସ୍କୁଲଗୁଡିକରେ ପଢ଼ୁଥିବା ପିଲାମାନେ ପୂର୍ବପରି ୮ରୁ ୯କେଜି ଓଜନର ବସ୍ତାନୀ ଧରି ସ୍କୁଲ ଯାଉଛନ୍ତି। ତେବେ ସରକାରଙ୍କ ନିୟମକୁ ଅବମାନନା କରୁଥିବା ସ୍କୁଲଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶା ଅଭିଭାବକ ମହାସଂଘର ପକ୍ଷରୁ ଦାବି ହୋଇଛି। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସ୍କୁଲ ବ୍ୟାଗ ଓଜନ ନିୟମକୁ ଯେପରି ଘରୋଇ ସ୍କୁଲ କଡ଼ାକଡ଼ି ଭାବେ ଲାଗୁ କରିବେ ସେ ଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଦାବି ହୋଇଛି।

ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ, ସ୍କୁଲ ପକ୍ଷରୁ ଏନସିଇଆରଟି ପୁସ୍ତକ ବ୍ୟତୀତ କୌଣସି ଅନ୍ୟ ବହି ଆଣିବାକୁ ପିଲାଙ୍କୁ କୁହାଯିବ ନାହିଁ। ମାତ୍ର ରାଜ୍ୟରେ ବହୁ ଘରୋଇ ସ୍କୁଲରେ ଶିକ୍ଷା ନାଁରେ ବ୍ୟବସାୟ ଚାଲିଛି। ପ୍ରତି ବିଷୟ ଲାଗି ୪ଖଣ୍ଡ ଖାତା ନେବା ଲାଗି ପିଲାଙ୍କୁ ନିର୍ଦ୍ଦେଶ ଦିଆଯାଉଛି।

ଏହାବ୍ୟତୀତ ଘରୋଇ ସ୍କୁଲଗୁଡ଼ିକରେ ଏନସିଇଆରଟି ପୁସ୍ତକ ବଦଳରେ ଅନ୍ୟ ପ୍ରକାଶକଙ୍କ ପୁସ୍ତକ କିଣିବାକୁ ପିଲାଙ୍କୁ ବାଧ୍ୟ କରାଯାଉଛି। ଘରୋଇ ସ୍କୁଲଗୁଡ଼ିକ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ବହି ଓ ଖାତା ବାବଦରେ ପ୍ରତିବର୍ଷ କୋଟିଏରୁ ଅଧିକ ଟଙ୍କା ଆଦାୟ କରୁଛନ୍ତି। ଫଳରେ ସରକାରଙ୍କ ନିୟମକୁ ପାଳନ କରିବାକୁ ପଛଘୁଞ୍ଚା ଦେଉଛନ୍ତି ବୋଲି ମହାସଂଘ ପକ୍ଷରୁ ଅଭିଯୋଗ ହେଉଛି।