ଏଲଏନ କଲେଜକୁ ସରକାରୀ ମାନ୍ୟତା ଓ ସ୍ଥାନୀୟ ନିଯୁକ୍ତି ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାରେ ଗୋଟିଏ ହେଲେ ବି ସରକାରୀ ମହାବିଦ୍ୟାଳୟ ନଥିବା ସତ୍ତେ୍ୱ ଜିଲ୍ଲାର ସର୍ବପୂରାତନ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟକୁ ଏପର୍ଯ୍ୟନ୍ତ ସରକାରୀ ମାନ୍ୟତା ମିଳିନାହିଁ। ଏହାଦ୍ୱାରା ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିଫଳିତ ହେଉଛି ବୋଲି ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରୀପାଠି କହିଛନ୍ତି। ସେହିପରି ଜିଲ୍ଲାରେ ଅନେକ ଖଣି ଓ କଳକାରଖାନା ଥିବା ସତ୍ତେ୍ୱ ସ୍ଥାନୀୟ ଯୁବକ ଯୁବତୀ ନିଯୁକ୍ତି ପାଉନାହାଁନ୍ତି। ଏହି ବେକାର ଯୁବକ ଯୁବତୀଙ୍କୁ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ସ୍ଥାନୀୟ କମ୍ପାନୀ ଓ ଖଣିରେ ନିଯୁକ୍ତ କରାଇବା ଦିଗରେ ରାଜ୍ୟ ସରକାର ତଥା ସ୍ଥାନୀୟ ବିଧାୟକମାନେ କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି। ସେହିପରି ଝାରସୁଗୁଡାର ପ୍ରତିଭାବାନ ହକି ଖେଳାଳିଙ୍କୁ ପ୍ରୋତ୍ସାହନ ଦିଆଯାଉ ନାହିଁ। ତେଣୁ ଝାରସୁଗୁଡାବାସୀଙ୍କ ସୁବିଧା ପାଇଁ ଏଲଏନ୍ କଲେଜକୁ ଶୀଘ୍ର ସରକାରୀ ମାନ୍ୟତା, ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ତଥା ପ୍ରତିଭାବାନ ହକି ଖେଳାଳିଙ୍କୁ ପ୍ରୋତ୍ସାହାନ ଦିଆଯାଉ ବୋଲି ଶ୍ରୀ ତ୍ରିପାଠି ଦାବି କରିଛନ୍ତି।