ବଙ୍ଗଳାରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରେ ଆକ୍ରମଣ

କୋଲକାତା: ବଙ୍ଗଳାରେ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ହିଂସା ଥମିବାର ନାମ ନେଉନାହିଁ। ବଙ୍ଗଳାରେ ପଶ୍ଚିମ ମେଦିନାପୁରର ବିଦେଶ ରାଜ୍ୟମନ୍ତ୍ରୀ ବି. ମୁରଲୀଧରନଙ୍କ କାର ଉପରେ ଏବେ ସ୍ଥାନୀୟ ଲୋକ ଆକ୍ରମଣ କରିଛନ୍ତି। ଏନେଇ ଭିଡିଓ ସହ ଟ୍ୱିଟ୍ କରି ମୁରଲୀଧରନ ସୂଚନା ଦେଇଛନ୍ତି। ମୁରଲୀଧରନ ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣର ଆରୋପ ଲଗାଇଛନ୍ତି। ଅନ୍ୟପଟେ ବିଜେପିର ଆପୋଷ ମତଭେଦ ଯୋଗୁ ଏଭଳି ଘଟିଥିବା ଟିଏମସି କହିଛି।

ସୂଚନାଯୋଗ୍ୟ, ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା ନିଜ କାର୍ଯ୍ୟକର୍ତ୍ତାଙ୍କ ମନୋବଳ ସୁଦୃଢ଼ କରିବା ଲାଗି ବଙ୍ଗଳା ଗସ୍ତ କରୁଛନ୍ତି। ଆଜି ପଶ୍ଚିମ ମେଦିନାପୁରର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ପାଇଁ ମୁରଲୀଧରନ ତାଙ୍କ ଘରକୁ ଯାଉଥିଲେ। ସେତେବେଳେ ରାସ୍ତା ଉପରେ ଠେଙ୍ଗା ଦ୍ୱାରା ତାଙ୍କ ଗାଡ଼ି ଉପରେ ଆକ୍ରମଣ କରାଯାଇଥିଲା। ଏହି ସମୟରେ ତାଙ୍କ ଗାଡ଼ିର କାଚ ଭାଙ୍ଗି ଯାଇଥିଲା।