କର୍ଲାମୁଣ୍ଡା ବ୍ଲକ୍‌ରେ ବେଆଇନ ମଦ କାରବାର, ନିଦାବିଷ୍ଣୁ ସାଜିଛି ଅବକାରୀ ବିଭାଗ

କର୍ଲାମୁଣ୍ଡା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ର ୧୨ଟି ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ବିଭିନ୍ନ ସ୍ଥାନରେ ଦେଶୀ ରନ୍ଧା ମଦ ତଥା ପାଣି ମିଶା ଭେଜାଲ ଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଜଣେ ଜଣେ ବ୍ୟକ୍ତିଙ୍କ ନାମରେ ଏକାଧିକ ମଦଭାଟି, ବ୍ରାଞ୍ଚ ଲାଇସେନ୍ସ ଥିବାରୁ ସେମାନେ ଏକଚାଟିଆ ଭାବେ କାରବାର ଚଳାଇ ନିରୀହ ଲୋକଙ୍କ ଶୋଷଣ କରୁଛନ୍ତି। ବ୍ଲକ୍‌ର ଅଧିକାଂଶ ଗାଁରେ ଏବେ ଛତୁ ଫୁଟିଲା ଭଳି ବେଆଇନ ମଦ କୋଠି ଖୋଲିଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ମଧ୍ୟ ତେଜିବାରେ ଲାଗିଛି।

ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାରେ ବର୍ତ୍ତମାନ ଜଣେ ଇନ୍ସପେକ୍ଟର, ୫ ଜଣ ସବ୍‌ ଇନ୍ସପେକ୍ଟର ଓ ୧୩ ଜଣ କନେଷ୍ଟବଳ ପଦ ଖାଲିପଡିଛି। ଏହି ଘଟଣାକୁ ଦେଖିଲେ ଜିଲ୍ଲା ଅବକାରୀ ବିଭାଗ ଦୟନୀୟ ଅବସ୍ଥାରେ ଚାଲୁଥିବା ମନେହୁଏ। କଳାହାଣ୍ଡି ଭଳି ବଡ ଜିଲ୍ଲାରେ ଏତେ କମ୍ ସଂଖ୍ୟକ କର୍ମଚାରୀ ରହିବା ଚୋରା ମଦ କାରବାରକୁ ପ୍ରୋତ୍ସାହିତ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ମ.ରାମପୁର ଅବକାରୀ କାର୍ଯ୍ୟାଳୟରେ କର୍ମଚାରୀ ଅଭାବର ଆଳ ଦେଖାଇ ଅବକାରୀ ବିଭାଗ ନୀରବ ରହି ମଦବେପାରୀଙ୍କ ସହିତ ସଲାସୁତୁରା କରି ହାତ ବାନ୍ଧି ବସିଥିବା ବେଳେ କୁଶୁର୍ଲା, ଉଡିଆମୁଣ୍ଡା, ମ.ରାମପୁରରେ ଥିବା ଦେଶୀ ମଦ ଭାଟିର କର୍ମଚାରୀ ଲଗାଇ ନିରୀହ ଗରିବ ଲୋକ ମାନଙ୍କୁ ମିଥ୍ୟା ଅଭିଯୋଗରେ କୋର୍ଟ ଚାଲାଣ କରୁଛି।

ଭାଟି କର୍ମଚାରୀ ମାନେ ରାତି ଅଧିଆ ଗରିବ ଲୋକ ମାନଙ୍କୁ ଧରି ଅବକାରୀ ବିଭଗକୁ ହସ୍ତାନ୍ତର କରୁଥିବା ହେତୁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କର୍ଲାମୁଣ୍ଡା ବ୍ଲକ୍‌ରେ ୨ଟି ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟି ଓ ୨ଟି ବିଦେଶୀ ମଦ ଦୋକାନ ରହିଛି। ଏହି ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀମାନେ ଅବକାରୀ ନିୟମକୁ ବେଖାତିର କରୁଛନ୍ତି। ସେମାନେ ଖୁଲମଖୁଲା ମଦ ବିକ୍ରି ପାଇଁ ଗାଁ ଗାଁ’ରେ ନିଜ କର୍ମଚାରୀଙ୍କ ଦ୍ଵାରା ଦେଶୀ ମଦ ଯୋଗାଇ ଦେଉଥିବା ହେତୁ ଗ୍ରାମଞ୍ଚଳରେ ଚୋରି, ରାହା ଯାନୀ, ଡକାୟତି, ଆଦି ହିଂସାତ୍ମକ କାର୍ଯ୍ୟ ଗୁଡିକ ବଢ଼ିବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି କର୍ଲାମୁଣ୍ଡା ବ୍ଲକ୍‌ର “ଖ” ଯୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଚୌଧୁରୀ ଜିଲ୍ଲା ଅବକାରୀ ବିଭାଗକୁ ଏକ ଦାବି ପତ୍ର ମଧ୍ୟ ଦେଇଥିଲେ।

ମଦ ଦୋକାନ ଆଗରେ ମଦର ଦର, ତାଲିକା ଟାଙ୍ଗିବା ପାଇଁ ନିୟମ ରହିଥିବା ବେଳେ ସମ୍ପୃକ୍ତ ମଦ ବ୍ୟବସାୟୀମାନେ ଏହାକୁ ବେଖାତିର କରୁଛନ୍ତି। ଏହି ନିୟମ ଉଲ୍ଲଂଘନ କରୁଥିବା ମଦ ବ୍ୟବସାୟୀଙ୍କ ବିରୋଧରେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଫଳରେ ମଦ ବ୍ୟବସାୟୀଙ୍କ ସହ ଅବକାରୀ ବିଭାଗର ସଲାସୁତୁରା ଥିବା ଜନମାନସରେ ଚର୍ଚ୍ଚା ହେଉଛି। ଏପଟେ ମଦ ବ୍ୟବସାୟୀମାନେ ମଦର ଦର ତାଲିକା ଦୋକାନ ଆଗରେ ଟାଙ୍ଗି ଫଟୋ ଉଠାଇ ବିଭାଗକୁ ପଠାଇ ପରେ ପୁଣି ଥରେ ଖୋଲି ଦେଉଥିବା ଜଣାପଡିଛି।

ବ୍ଲକ୍‌ରେ ଥିବା ଏହି ଦୋକାନଗୁଡିକ ଉପରେ ଅତର୍କିତ ଚଢଉ କରାଗଲେ କେଉଁମାନେ ଦର ତାଲିକା ଟାଙ୍ଗୁଛନ୍ତି କେଉଁମାନେ ଟାଙ୍ଗୁ ନାହାନ୍ତି ତାହା ଜଣାପଡନ୍ତା। ସେହିପରି ପ୍ରିଣ୍ଟ ରେଟ୍‌ ଠାରୁ ମନଇଚ୍ଛା ଅଧିକ ଦରରେ ମଦ ଦୋକାନୀ ମଦ ବିକ୍ରି କରୁଥିବା ବେଳେ ଅବକାରୀ ବିଭାଗ ଓ ପୁଲିସ ବିଭାଗ ନୀରବଦ୍ରଷ୍ଟା ସାଜିଛି।