ଭୋକ ଦାଉରେ ଜୀବନ: ଭରସା ହେଲା ଡଷ୍ଟବିନ ଖାଦ୍ୟ

କୋରାପୁଟ,ଏନ୍ଏନ୍ଏସ୍: କରୋନା ଯୋଗୁଁ ରାଜ୍ୟ ସରକାର ଲକଡାଉନ ଓ ସଟଡାଉନ ଲାଗୁ କରିଛନ୍ତି। ଏହି ମଧ୍ୟରେ ଅନେକ ଭିକାରି ଲୋକ ନିଜ ପେଟକୁ ଖାଦ୍ୟ ଗଣ୍ଡାଏ ପାଉନାହାନ୍ତି। ଭିକ୍ଷାବୃତିରୁ ବଞ୍ଚିତ ହୋଇ ଦୟନୀୟ ସ୍ଥିତିରେ ଦିନ ବିତାଉଛନ୍ତି। କିଏ ଅଇଁଠା ଖାଇ ଜୀବନ ବିତାଉଛି ତ ଆଉ କିଏ ବଞ୍ଚିବା ପାଇଁ ଡଷ୍ଟବିନରେ ଫିଙ୍ଗା ଯାଇଥିବା ଖାଦ୍ୟ ଖାଇ ଜୀବନ ମରଣ ସହ ଲଢେଇ କରୁଛି।

ଏହି ମଧ୍ୟରେ ଆଜି ସ୍ଥାନୀୟ ସତ୍ୟ ସାଇବାବା ମନ୍ଦିର ସମ୍ମୁଖରେ ଜଣେ ଅସହାୟ ବ୍ୟକ୍ତି ଅଳିଆଗଦାରେ ଫୋପଡା ଯାଇଥିବା ଖାଦ୍ୟକୁ ଖାଉଥିବା ଦେଖାଯାଇଥିଲା। ପେଟ ବିକଳରେ ଲୋକଟି ପଡିଥିବା ଖାଦ୍ୟରୁ ବାଛି ବାଛି ଖାଉଥିବା ଦେଖାଯାଇଥିଲା। ଗତବର୍ଷ କରୋନା ସମୟରେ ଜିଲ୍ଲାର ଅସହାୟ ବ୍ୟକ୍ତିମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଖାଦ୍ୟ ଦିଆଯାଉଥିଲା। କିନ୍ତୁ ଚଳିତ ବର୍ଷ କୋରାପୁଟ ସହରରେ ତାହା ହେଉ ନଥିବାରୁ ସେମାନେ ଅଳିଆଗଦାରୁ ଖାଦ୍ୟ ଗୋଟେଇ ଖାଉଛନ୍ତି।

ଏହା ଦେଖି ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ କୋରାପୁଟ ସହରରେ କେତେ ଜଣ ଅସହାୟ ବ୍ୟକ୍ତି ରହିଛନ୍ତି ତାହା ଚିହ୍ନଟ କରି ଏହି କଷ୍ଟ ସମୟରେ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି। ଏଥିସହ ଅସହାୟ ଓ ମାନସିକ ଅନଗ୍ରସର ବ୍ୟକ୍ତିମାନଙ୍କ ଥଇଥାନ କରିବାକୁ ଜିଲ୍ଲା ପ୍ରଶାସନକୁ ଏକ ପ୍ରସ୍ତାବ ଦିଆଯାଇଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୀମାଚଳ ମହାପାତ୍ର ସୂଚନା ଦେଇଛନ୍ତି।