ରାୟଗଡ଼ାରେ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା ଦାବି, ଶିଳ୍ପ ସଚିବଙ୍କୁ ଚିଠି ଲେଖି ଅବଗତ କଲା ମିଡ଼ିଆ କେୟାର୍ସ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା କରିବାକୁ ଦାବି ଉଠିଛି। ଜିଲ୍ଲାରେ ଥିବା ପ୍ରମୁଖ ଶିଳ୍ପନୁଷ୍ଠାନ ଗୁଡ଼ିକ ସହାୟତାରେ ଅକ୍ସିଜେନ୍ ପ୍ଲାଣ୍ଟ୍ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ରାୟଗଡ଼ା ମିଡ଼ିଆ କେୟାର୍ସ ପକ୍ଷରୁ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି। ଜିଲ୍ଲାରେ ବର୍ତ୍ତମାନ ଏକ ମାତ୍ର ବେସରକାରୀ ଅକ୍ସିଜେନ୍ ପ୍ଲାଣ୍ଟ୍ ଥିବାରୁ କରୋନା ମୁକାବିଲା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା ଜରୁରୀ ହୋଇପଡିଛି। କରୋନା ମହାମାରୀର ଦ୍ୱିତୀୟ ଲହରୀରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅକ୍ସିଜେନ ଅତି ଉପାଦେୟ ହୋଇପଡିଛି।

ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ କରୋନାର ତୃତୀୟ ଲହରୀ ମଧ୍ୟ ଖୁବଶୀଘ୍ର ଆସୁଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସତର୍କ କରିଛି। ଏହି ଦୃଷ୍ଟିକୋଣରୁ ରାୟଗଡ଼ା ଜିଲ୍ଲାରେ ସରକାରୀ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠାର ଆବଶ୍ୟକତା ରହିଛି। ଜିଲ୍ଲାରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍, ଇମ୍ଫା, ଜେକେ କାଗଜ କଳ, ବେଦାନ୍ତ ଭଳି ଜାତୀୟ ସ୍ତରର ଶିଳ୍ପାନୁଷ୍ଠାନ ରହିଛି। କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଶିଳ୍ପ ବିଭାଗ ଓ ଜିଲ୍ଲା ପ୍ରଶାସନ ଆଲୋଚନା କରି ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଜରିଆରେ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇ ପାରିବ ବୋଲି ମିଡିଆ କେୟାର୍ସ ପକ୍ଷରୁ ବରିଷ୍ଠ ସାମ୍ବାଦିକ ବାଦଲ ତା, ରଞ୍ଜନ ରଥ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ଚିଠି ଲେଖିଛନ୍ତି।

ଅନ୍ୟପକ୍ଷରେ ଆଜି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ୧୫ଟି ଜିଲ୍ଲାରେ ସରକାରୀ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି। ଯେଉଁଥିରେ ରାୟଗଡ଼ା ଜିଲ୍ଲାର ନାମ ରହିଛି।