ବନବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କାର କାଠଗଣ୍ଡି ଜବତ

କୋଟପାଡ଼,ଏନ୍ଏନ୍ଏସ୍: ଜୟପୁର ବନଖଣ୍ଡ ଅଧିକାରୀ ଏନଏସଜେପି ସିଂହଙ୍କ ନିର୍ଦ୍ଦେଶରେ କୋଟପାଡ଼ ବନାଞ୍ଚଳ ଅଧିକାରୀ ରଶ୍ମିତା କହଁରଙ୍କ ନେତୃତ୍ୱରେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ ଛତିଶଗଡ଼ ସୀମା ଚାନ୍ଦିଲି-କନ୍ଦାଯୋଡି ଜଙ୍ଗଲରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଗଣ୍ଡି ଜବତ କରିଛନ୍ତି। କନ୍ଦାଯୋଡି ଜଙ୍ଗଲରେ କାଠ ମାଫିଆ ସକ୍ରିୟ ରହି ବେଆଇନ ଭାବେ ମୂଲ୍ୟବାନ ଗଛ କାଟି ଚୋରା ଚାଲାଣ କରାଯାଉଥିବା ବନବିଭାଗକୁ ସୂଚନା ମିଳିଥିଲା।

ସୂଚନା ଆଧାରରେ ଜୟପୁର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ କୋଟପାଡ ରେଞ୍ଜ ଅଫିସର, ଫରେଷ୍ଟର ବନ୍ଧୁ ଖୀଲ, ସେକ୍ସନ ଅଫିସର ମହେନ୍ଦ୍ର ବେଉରିଆ ଓ ଅନ୍ୟମାନଙ୍କୁ ନେଇ ଗଠିତ ଟିମ ଚଢଉ କରିଥିଲେ। କୌଶଳକ୍ରମେ ଚୋରା କାଠ ବେପାରୀ ଖସି ପଳାଇଥିବା ବେଳେ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରୁ ୪ ଖଣ୍ଡ ଶାଳ ସାଇଜ କାଠ, ଶାଳ ଓ ବିଜା ଗଣ୍ଡି ୧୮ ଖଣ୍ଡ ଓ ଏକ କରତ ଜବତ କରିଛି।