୨ ଦିନରେ ଏଲ୍‌ଆଇସି ଆଇପିଓ ସମ୍ପୂର୍ଣ୍ଣ ବିକ୍ରି

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ସର୍ବବୃହତ ବୀମା କମ୍ପାନୀ ଏଲ୍‌ଆଇସିର ଆଇପିଓ ଲଞ୍ଚ ଦ୍ୱିତୀୟ ଦିନରେ ପହଞ୍ଚିଛି। ମାତ୍ର ୨ ଦିନ ମଧ୍ୟରେ ଏହି ଆଇପିଓ ଶତ ପ୍ରତିଶତ ସବସ୍କ୍ରିପସନ୍ ହାସଲ କରିଛି। ସନ୍ଧ୍ୟା ୬ଟା ସୁଦ୍ଧା ଶତ ପ୍ରତିଶତରୁ ଅଧିକ ସବ୍‌ସ୍କ୍ରାଇବ୍ ହୋଇଛି ଏହି ଆଇପିଓ। ସମୁଦାୟ ୧୬୨.୧ ମିଲିୟନ୍ ଶେୟାର ଅଫର ପାଇଁ ରହିଥିବା ବେଲେ ଦ୍ୱିତୀୟ ଦିନ ସୁଦ୍ଧା ୧୬୨.୩ ମିଲିୟନ୍ ସବସ୍କ୍ରିପ୍‌ସନ୍ ହୋଇ ସାରିଛି। ଗୋଟିଏ ପଟେ କର୍ମଚାରୀ ସଂଘ ପକ୍ଷରୁ ବିରୋଧ କରାଯାଉଥିବା ବେଳେ ଅନ୍ୟ ପକ୍ଷରେ କର୍ମଚାରୀଙ୍କ ପାଇଁ ରହିଥିବା ଶେୟାର ୨ ଗୁଣା ଅଧିକ ସବସ୍କ୍ରାଇବ୍ ହୋଇଛି।

୯୦୨ରୁ ୯୪୯ ଟଙ୍କା ଯାଏଁ ଏହାର ମୂଲ୍ୟ ରହିଛି ଏବଂ ଆସନ୍ତା ୧୭ ତାରିଖରେ ଏହା ଶେୟାର ମାର୍କେଟରେ ଲିଷ୍ଟିଂ କରାଯିବ। ରିଟେଲ୍ ଇନଭେଷ୍ଟରଙ୍କ ପକ୍ଷରୁ ୯୧ ପ୍ରତିଶତ ବୁକିଂ କରାଯାଇଥିବା ବେଳେ ନନ୍ ଇନଷ୍ଟିଚ୍ୟୁସନାଲ ନିବେଶକଙ୍କ ପକ୍ଷରୁ ୧.୨ ଗୁଣା ଅଂଶଧନ କିଣା ଯାଇଥିଲା। ୩.୫ ପ୍ରତିଶତର ବିନିବେଶ ସହିତ କେନ୍ଦ୍ର ସରକାରଙ୍କୁ ୨୧ ହଜାର କୋଟି ଟଙ୍କା ମିଳିବାକୁ ଯାଉଥିବା ବେଳେ ଆସନ୍ତାମ ୧୭ ତାରିଖରେ ଲିଷ୍ଟିଂ ପୂର୍ବରୁ ଏହାର ଆଇପିଓ ବିକ୍ରି ଶେଷ ହେବା ନେଇ ଆଶା କରାଯାଉଛି। ୨୪୫ଟି ଘରୋଇ ବୀମା କମ୍ପାନୀକୁ ନେଇ ମାତ୍ର ୫ କୋଟିର ମୂଳଧନ ସହିତ ସେପ୍ଟେମ୍ବର୧, ୧୯୫୬ରେ ଆରମ୍ଭ କରାଯାଇଥିଲା ଭାରତୀୟ ଜୀବନବୀମା ନିଗମ। ଭାରତର ଏହି ସର୍ବବୃହତ ଆଇପିଓ ଲଞ୍ଚ ଦ୍ୱାରା ଭାରତ ସରକାରଙ୍କୁ ୨୧ ହଜାର କୋଟିର ନିବେଶ ହାସଲ ହେବ।