ରେପୋ ରେଟ୍ ବୃଦ୍ଧି ସଠିକ୍ ପଦକ୍ଷେପ: ଅର୍ଥ ସଚିବ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ବଢୁଥିବା ଦରଦାମକୁ ନିୟନ୍ତ୍ରଣ କରିବା ଲାଗି ବୁଧବାର ରିଜର୍ଭ ବ୍ୟାଙ୍କ ରେପୋରେଟ ବୃଦ୍ଧି କରାଯାଇଥିଲା । ଏହି ନିଷ୍ପତ୍ତିକୁ କିଛି କ୍ଷେତ୍ରରୁ ସମାଲୋଚନା କରାଯାଉଥିବା ବେଳେ ଏହାକୁ ସମର୍ଥନ ମଧ୍ୟ ମିଳିଛି । ଏହା ଦ୍ୱାରା ପରୋକ୍ଷ ଭାବରେ ସାଧାରଣ ଜନତା ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ଜାହିର କରାଯାଇଛି । ତେବେ ଏହାକୁ ଏକ ଉତ୍ତମ ନିଷ୍ପତି କହିବା ସହ ଉଚିତ୍ ସମୟରେ ଆବିଆଇ ଉଚିତ୍ ନିଷ୍ପତ୍ତି ନେଇଥିବା କହିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ସଚିବ ଟି ଭି ସୋମନାଥ । ବିଗତ ଦୁଇ ବର୍ଷ ଧରି ଦେଶ କରୋନା କବଳରେ ଥିବା କାରଣରୁ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରିନଥିଲେ । ତେବେ ବର୍ତ୍ତମାନ କରୋନାର ପ୍ରଭାବ ଶେଷ ହେବାକୁ ବସିଥିବା ବେଳେ ମୁଦ୍ରାସ୍ଫିତୀ ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି ।

ନିରନ୍ତର ଭାବରେ ବୃଦ୍ଧି ପାଇ ଚାଲିଥିବା ଦରଦାମକୁ ନିୟନ୍ତ୍ରଣ କରିବାକୁ ଏହା ଏକ ବଢିଆ ପଦକ୍ଷେପ ବୋଲି ମଧ୍ୟ ବିବେଚନା କରାଯାଉଛି । ଦରଦାମ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାରଙ୍କ ଭୂମିକା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ସୋମନାଥ କହିଥିଲେ ଯେ, କେନ୍ଦ୍ର ସରକାର ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ମାଗଣା ଖାସ୍ୟଶସ୍ୟ ଯୋଗାଇ ଦେଉଛନ୍ତି । ଏଥି ସହିତ ଦରଦାମ କିପରି ନିୟନ୍ତ୍ରିତ ରହିବା ଏହା ଉପରେ ସରକାର ଧ୍ୟାନ ରଖିଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ସବ୍‌ସିଡି ମଧ୍ୟ ପ୍ରଦାନ କରୁଛନ୍ତି । ମାର୍ଚ୍ଚମାସରେ ମୁଦ୍ରାସ୍ପୀତି ୭ ପ୍ରତିଶତ ଛୁଇଁଛି । ଲଗାତାର ତୃତୀୟ ମାସ ପାଇଁ ଆରବିଆଇର ଆକଳନକୁ ଅତିକ୍ରମ କରିଛି ଦେଶର ମୁଦ୍ରାସ୍ଫିତୀ ।

ମାର୍ଚ୍ଚ ମାସରେ ତୀବ୍ର ମୁଦ୍ରାସ୍ଫିତୀ କାରଣରୁ ପରିବା ଦରଦାମ ବୃଦ୍ଧି ଏବଂ ବିଶ୍ୱ ବଜାରରେ ଖାଦ୍ୟ ସାମଗ୍ରୀର ବୃଦ୍ଧି କାରଣରୁ ହୋଇଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ବର୍ତ୍ତମାନର ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ସ୍ଥିତି, ବଢୁଥିବା ମୁଦ୍ରାସ୍ପୀତି, ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଏବଂ ବିଶ୍ୱ ବଜାରରେ ଖାଦ୍ୟ ସାମଗ୍ରୀରେ ଅଭାବକୁ ଦୃଷ୍ଟିରେ ରଖି ରେପୋ ରେଟ ବୃଦ୍ଧି କରାଯାଇଛି । ଏପରିକି ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି ପାଇବା ସହିତ ଋଣ ନେବା ମହଙ୍ଗା ହେବ ବୋଲି କୁହାଯାଇଛି ।