ଆଇପିଏଲ୍‌-୨୦୨୨: ହାଇଦ୍ରବାଦ୍‌କୁ ହରାଇଲା ପଂଜାବ

ମୁମ୍ବାଇ,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୭୦ତମ ମ୍ୟାଚ୍‌କୁ ପଂଜାବ କିଙ୍ଗ୍‌ସ ୫ ୱିକେଟ୍ ବିନିମୟରେ ବିଜୟ ହାସଲ କରିଛି। ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମ୍‌ରେ ରବିବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍ ପ୍ରଥମେ ବ୍ୟାଟିଂ କରିଥିଲା। କେନ୍ ୱିଲିୟମସନ୍‌ଙ୍କ ଅନୁପସ୍ଥିତିରେ ଭୁବନେଶ୍ୱର କୁମାରଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇଥିବା ହାଇଦ୍ରାବାଦ୍ ୮ ୱିକେଟ ହରାଇ ୧୫୭ ରନ୍ କରିଥିଲା। ଜବାବରେ ପଂଜାବ ଟିମ୍ ୧୫.୧ ଓଭରରେ ୫ଟି ୱିକେଟ୍ ହରାଇ ୧୬୦ ରନ୍ କରିଥିଲା।

ପଂଜାବର ବିଜୟରେ ଲିଆମ ଲିଭିଂଷ୍ଟୋନ୍ ହିରୋ ସାଜିଥିଲେ। ସେ ୨୨ଟି ବଲ୍ ଖେଳି ଅପରାଜିତ ୪୯ ରନ୍ କରିଥିଲେ। ଏଥିରେ ୨ଟି ଚୌକା ଓ ୫ଟି ଛକା ଥିଲା। ସବୁଠାରୁ ବଡ଼ କଥା ଥିଲା ଲିଆମ ଲିଭିଂଷ୍ଟୋନ୍ ଆଇପିଏଲ୍‌-୨୦୨୨ର ୧୦୦୦ତମ ଛକା ମାରି ଦର୍ଶକଙ୍କୁ ଖୁସି କରାଇଥିଲେ। ପ୍ରାରମ୍ଭିକ ବ୍ୟାଟର ଜନି ବେୟାରଷ୍ଟୋ ୨୩ ରନ୍‌, ଶିଖର ଧୱନ ୩୯ ରନ୍‌, ଶାହରୁଖ ଖାନ୍ ଓ ଜିତେଶ ଶର୍ମା ୧୯-୧୯ ରନ୍ କରିଥିଲେ।

ହାଇଦ୍ରାବାଦ୍ ପାଇଁ ଅଭିଷେକ ଶର୍ମା ସର୍ବାଧିକ ୪୩ ରନ୍ କରିଥିଲେ। ସେ ୫ଟି ଚୌକା ଓ ୨ଟି ଛକା ମଧ୍ୟ ମାରିଥିଲେ। ୱାଶିଂଟନ୍ ସୁନ୍ଦର ୨୫ ରନ୍‌, ରାହୁଲ ତ୍ରିପାଠୀ ୨୦ ରନ୍ ଓ ଆଇଡେନ୍ ମାର୍କମ ୨୧ ରନ୍ ସଂଗ୍ରହ କରିଥିଲେ। ପଂଜାବ ତରଫରୁ ହରପ୍ରୀତ ବାର୍ ଓ ନାଥାନ ଇଲିସ ସର୍ବାଧିକ ୩-୩ ୱିକେଟ ନେଇଥିଲା ବେଳେ କାଗିସୋ ରାବାଡାଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।