ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣରେ ନବୀନ ବାବୁଙ୍କର କୌଣସି କ୍ରେଡିଟ୍ ନାହିଁ : ଲେଖାଶ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ଚାରିଦିନରେ ଓଡ଼ିଶାରୁ ପ୍ରାୟ ୧୨୫୮ ମେଟ୍ରିକ୍ ଟନ୍ ମେଡ଼ିକାଲ ଅକ୍ସିଜେନ୍ ୬୭ଟି ଟ୍ୟାଙ୍କର ଯୋଗେ ଅନ୍ୟ ରାଜ୍ୟକୁ ଯାଇଛି। ଏସବୁ ଅକ୍ସିଜେନ୍ ଟ୍ରକଗୁଡ଼ିକୁ ରାଜ୍ୟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର କରିଡର ଜରିଆରେ ସୀମାଞ୍ଚଳ ପର୍ଯ୍ୟନ୍ତ ସୁରୁଖୁରୁରେ ନିଆଯାଉଛି। ବିପଦ ସମୟରେ ଅନ୍ୟ ରାଜ୍ୟକୁ ସାହାଯ୍ୟ ଯୋଗାଉଥିବାରୁ ଓଡ଼ିଶା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବିଭିନ୍ନ ମହଲରୁ ପ୍ରଂଶସା ଛୁଟିବାରେ ଲାଗିଛି। ତେବେ ଓଡ଼ିଶା ସରକାର ପୁଲିସ ଦ୍ୱାରା ଗାଡ଼ି ଜଗୁଆଳି କାମ କରାଇ ଗାଡ଼ି ମାଲିକ ହେବାକୁ ବସିଛନ୍ତି ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ନିଜ ସୋସିଆଲ୍ ମିଡିଆ ପେଜରେ ଭିଡିଓ ଜାରି କରି ଲେଖାଶ୍ରୀ କହିଛନ୍ତି ଯେ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଇବାରେ ନବୀନ ବାବୁଙ୍କର କୌଣସି କ୍ରେଡିଟ୍ ନାହିଁ। ଓଡ଼ିଶା ସରକାରଙ୍କର ଅକ୍ସିଜେନ୍ ଉତ୍ପାଦନ ଲାଗି କୌଣସି ପ୍ଲାଣ୍ଟ୍ ବା କାରଖାନା ନାହିଁ। ତେବେ ରାଜ୍ୟ ସରକାର କୋଉଠୁ ଏ ଅକ୍ସିଜେନ୍ ଆଣିଲେ। ବର୍ତ୍ତମାନ ଓଡ଼ିଶାରୁ ଯେଉଁ ଅକ୍ସିଜେନ୍ ବାହାର ରାଜ୍ୟକୁ ଯାଉଛି ତାହା ସେଲ୍ ଭଳି ରାଷ୍ଟ୍ରାୟତ୍ତ ଏବଂ ଟାଟା, ଜିନ୍ଦଲ ପରି ବିଭିନ୍ନ ଘରୋଇ ଷ୍ଟିଲ୍ ପ୍ଲାଣ୍ଟରୁ ଯାଉଛି। ଯାହା ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କର ନିୟନ୍ତ୍ରଣରେ। କେଉଁ କମ୍ପାନୀ କେତେ ଅକ୍ସିଜେନ୍ ଉତ୍ପାଦନ କରିବ ଏବଂ କେଉଁ ରାଜ୍ୟକୁ କେତେ ଯୋଗାଇବ ତାହା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିୟନ୍ତ୍ରିତ ହେଉଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ କାମ କରୁନାହାନ୍ତି। ଓଡ଼ିଶା ସରକାର ଯେ ଅକ୍ସିଜେନ୍ ଯୋଗାଇ ଦେଉଛନ୍ତି ଏ କଥା କହିବା ଭୁଲ୍ ବୋଲି ଲେଖାଶ୍ରୀ ଯୁକ୍ତି ରଖିଛନ୍ତି। ସେ କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ କମ୍ପାନୀମାନଙ୍କଠୁଁ ଅକ୍ସିଜେନ୍ କିଣି ଅନ୍ୟ ରାଜ୍ୟକୁ ଦେଇଛନ୍ତି ତେବେ ତାହା ଭିନ୍ନ କଥା। ହେଲେ କେତେ କୋଟି ଟଙ୍କାରେ ସେ ଅକ୍ସିଜେନ୍ କିଣିଛନ୍ତି ତାହାର ମଧ୍ୟ ସ୍ପଷ୍ଟୀକରଣ ରଖନ୍ତୁ। ମାତ୍ର, ଅକ୍ସିଜେନ୍ ଟ୍ୟାଙ୍କରକୁ ସୀମାବର୍ତ୍ତୀ ଅଞ୍ଚଳରେ ପହଞ୍ଚାଇବା କାର୍ଯ୍ୟ କରି ମିଥ୍ୟା ବାହାବା ନଲୁଟନ୍ତୁ। ଦେଶବ୍ୟାପୀ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅକ୍ସିଜେନ୍ ଉତ୍ପାଦନ ଏବଂ ଯୋଗାଣରେ ବୃଦ୍ଧି ଘଟିଛି। ବିଭାଗୀୟ ମନ୍ତ୍ରୀ ହିସାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମସ୍ତ କାର୍ଯ୍ୟରେ ଲାଗିଥିବା ଲେଖାଶ୍ରୀ କହିଛନ୍ତି।