ଆମେରିକାରେ ଦ୍ୱିତୀୟ ଡୋଜ୍ ନେବାକୁ ଡରୁଛନ୍ତି ଲୋକ

ୱାଶିଂଟନ୍,ଏଜେନ୍ସି: ଆମେରିକାରେ ଫାଇଜର କିମ୍ବା ମଡର୍ଣ୍ଣା କରୋନା ଟିକାର ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୫୦ଲକ୍ଷ ଲୋକ ବିଭିନ୍ନ କାରଣରୁ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି। ଦେଶରେ ଯେତିକି ଲୋକ ପ୍ରଥମ ଡୋଜ୍ ନେଇଛନ୍ତି, ଏମାନଙ୍କ ସଂଖ୍ୟା ତା’ର ୮ ପ୍ରତିଶତ ହେବ। କିଛି ଲୋକ ଦ୍ୱିତୀୟ ଡୋଜ୍ ନେବାକୁ ଭୟ କରୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଅନୁସନ୍ଧାନରୁ ଜଣାପଡ଼ିଛି ଦ୍ୱିତୀୟ ଡୋଜର ପାଶ୍ୱର୍ ପ୍ରତିକ୍ରିୟା ରହୁଥିବାରୁ ଲୋକେ ଏହାକୁ ନେବାକୁ ଡରୁଛନ୍ତି। ଦ୍ୱିତୀୟ ଡୋଜ୍ ନେବା ପରେ ଫ୍ଲୁ ଭଳି ଲକ୍ଷଣ ଦେଖାଯାଉଛି। ତେଣୁ ସେମାନେ ଦ୍ୱିତୀୟ ଡୋଜ୍ ନେଉନାହାନ୍ତି। ଆଉ କେତେକ କହିଛନ୍ତି, ପ୍ରଥମ ଡୋଜରେ ଆମେ ନିଜକୁ ସମ୍ପୂର୍ଣ୍ଣ ନିରାପଦ ମଣୁଥିବାରୁ ଦ୍ୱିତୀୟ ଡୋଜର ଆବଶ୍ୟକତା ନାହିଁ। ଲୋକଙ୍କ ମନରେ ଏଭଳି ଭ୍ରାନ୍ତ ଧାରଣା ଦ୍ୱାରା ସାର୍ବଜନୀନ ଟିକାକରଣ ବାଧାପ୍ରାପ୍ତ ହୋଇଛି। ଏହା ସରକାରଙ୍କ ପାଇଁ ମଧ୍ୟ ଚାଲେଞ୍ଜ ସଦୃଶ ହୋଇଛି।