ଓଡ଼ିଶାର ପ୍ରଶଂସାରେ ବିଜେପି ଅସହିଷ୍ଣୁ: ବିଜେଡି

ଭୁବନେଶ୍ୱର, ଏନ୍ଏନ୍ଏସ୍: ଅକ୍ସିଜେନ୍ ଯୋଗାଣରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କର କୌଣସି କ୍ରେଡିଟ୍ ନାହିଁ ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିବା ପରେ କଡ଼ା ପ୍ରତିକ୍ରିୟା ରଖିଛି ଶାସକ ବିଜେଡି। ସାରା ଭାରତବର୍ଷକୁ ମେଡ଼ିକାଲ ଅକ୍ସିଜେନ୍ ଯୋଗାଇ ଲୋକଙ୍କ ଜୀବନ ରକ୍ଷା କରୁଥିବା ଓଡ଼ିଶାକୁ ପ୍ରଶଂସାର ସୁଅ ଛୁଟୁଥିବାବେଳେ ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ତାହାକୁ ସହ୍ୟ କରିପାରୁ ନାହାନ୍ତି। ଓଡ଼ିଶାର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ବଦଳରେ ସେ ଅଭ୍ୟାସଗତ ଭାବେ ବିଭ୍ରାନ୍ତିକର ଓ ନିମ୍ନମାନର ମନ୍ତବ୍ୟ ଦେବା ସହିତ ଅସହିଷ୍ଣୁ ମନୋଭାବ ଦେଖାଉଥିବା ବିଜେଡି ମୁଖପାତ୍ର ଇପସିତା ସାହୁ କହିଛନ୍ତି।

ବିଜେପି ନେତ୍ରୀଙ୍କୁ ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ ଅକ୍ସିଜେନ୍ ଯୋଗାଣ ମାଧ୍ୟମରେ ଓଡ଼ିଶା ଏବେ ଦିଲ୍ଲୀ, ମହାରାଷ୍ଟ୍ର ଭଳି ରାଜ୍ୟର ଲୋକଙ୍କୁ ଜୀବନ ଦାନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ରାଜ୍ୟର ଏଭଳି ସହଯୋଗ ପାଇଁ ସେହିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡ଼ିଶାକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ତେବେ ଏଭଳି ପ୍ରଶଂସାକୁ ଏବେ ରାଜ୍ୟ ବିଜେପି ହଜମ କରିପାରୁ ନାହିଁ। ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ବକ୍ତବ୍ୟରୁ ଏହା ବାରିହୋଇ ପଡୁଛି। ଶ୍ରୀମତୀ ସାମନ୍ତସିଂହାର ପିପିଲି ଟିକଟ ପାଇଁ ଆଶାୟୀ ଥିଲେ। ସେଥିରେ ସଫଳ ନହେବା ଓ ଦଳରେ ନିଜର ପ୍ରାସଙ୍ଗିକତା ହରାଉଥିବାରୁ ଏବେ ପ୍ରତିଦିନ ଗଣମାଧ୍ୟମରେ ଏଭଳି ଅବାନ୍ତର ବକ୍ତବ୍ୟମାନ ଦେଉଛନ୍ତି। ଏଭଳି ମନ୍ତବ୍ୟ ଦେଇ ନିଜକୁ ଗଣମାଧ୍ୟମରେ ପ୍ରାସଙ୍ଗିକ କରି ରଖିବା ତାଙ୍କର ମୂଳ ଲକ୍ଷ୍ୟ ହୋଇଥିବାବେଳେ ଓଡ଼ିଶାବାସୀ କିନ୍ତୁ ବିଜେପି ନେତ୍ରୀଙ୍କର ଏଭଳି ନିତିଦିନିଆ ମନଗଢ଼ା ବିବୃତ୍ତି ସଂକ୍ରାନ୍ତରେ ଭଲଭାବେ ଅବଗତ ଅଛନ୍ତି ବୋଲି ବିଜେଡି ମୁଖପାତ୍ର କହିଛନ୍ତି।