ଶ୍ରୀସାନ୍ତଙ୍କ କମାଲ୍‌, ବାରବାଟୀରେ କିଙ୍ଗସର କମବ୍ୟାକ

କଟକ,ଏନ୍ଏନ୍ଏସ୍: ବାରବାଟୀରେ ଜାରି ରହିଛି ଲିଜେଣ୍ଡ୍ସ ଲଢେଇ । ଲଗାତାର ଦୁଇଟି ମୁକାବିଲା ହାରିବା ପରେ ଜବରଦସ୍ତ କମବ୍ୟାକ କରିଛି ଭିଲୱାରା କିଙ୍ଗସ । ସେହବାଗଙ୍କୁ ହରାଇଲେ ଇରଫାନ । ବ୍ୟାଟିଂ ଓ ବୋଲିଂରେ ଉନ୍ନତ ପ୍ରଦର୍ଶନ କରି ଗୁଜୁରାଟ ଜାଏଣ୍ଟସ ବିପକ୍ଷରେ ଏକ ବୃହତ ବିଜୟ ହାସଲ କରିଛି ଦଳ । ଗୁଜୁରାଟକୁ ୫୭ ରନରେ ପରାସ୍ତ କରିଛି ଭିଲୱାରା । ଅର୍ଦ୍ଧଶତକ ହାସଲ କରିଥିବା ୱିଲିୟମ ପୋଟରଫିଲ଼୍ଡ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଟସ ଜିତି ଫିଲ଼୍ଡିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ ଜାଏଣ୍ଟସ । କିଙ୍ଗସର ଦୁଇ ଓପନର ମର୍ଣ୍ଣ ଓ ପୋଟରଫିଲ୍ଡ ବିସ୍ଫୋରକ ବ୍ୟାଟଂ କରି ୧୧୭ ରନ ଭାଗିଦାରୀ ଗଢିଥିଲେ । ଦଶମ ଓଭରରେ ପୋଟରଫିଲ୍ଡଙ୍କୁ ଆଉଟ କରିଥିଲେ କେ.ପି. ଆପାନ୍ନା । ୩୩ ବଲରୁ ୬୪ ରନ୍‌ (୧୦ ଚୌକା, ୨ ଛକା) କରିଥିଲେ ପୋଟର। ପରେ ପରେ ମର୍ଣ୍ଣ ମଧ୍ୟ ପାଭିଲିୟନ ଫେରିଥିଲେ । ସେ ୨୮ ବଲରୁ ଦ୍ରୁତ ୫୦ ରନ କରିଥିଲେ ।

ଅଧିନାୟକ ଇରଫାନ ପଠାନ ୨୩ ବଲରୁ ୩୪, ଜେସଲ କାରିଆ ୨୯ ବଲରୁ ୪୩ ରନ କରିଥିଲେ । ଶେଷ ଭାଗରେ ୟୁସୁଫ ପଠାନ ୫ ବଲରୁ ୧୪ ରନ ଓ ରାଜେଶ ବିଷ୍ଣୋଇ ୧୨ ରନ (୨ଛକା) କରି ଦଳୀୟ ସ୍କୋରକୁ ୨୨୨ରେ ପହଞ୍ଚାଇଥିଲେ । ଏହା ବାରବାଟୀରେ ସବୁଠୁ ବଡ ସ୍କୋର୍ ଥିଲା । ଭିଲୱାରା ୪ ୱିକେଟ ହରାଇ ୨୨୨ ରନ କରି ଗୁଜରାଟକୁ ୨୨୪ ରନ ଟାର୍ଗେଟ ଦେଇଥିଲା । ପୂର୍ବରୁ ବାରବାଟୀରେ ଟି-ଟ୍ବେଣ୍ଟି ଫର୍ମାଟରେ ଭାରତ ନାମରେ ସର୍ବାଧିକ ସ୍କୋର ରହିଛି । ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ୩ ୱିକେଟ ହରାଇ ୧୮୦ ରନ କରିଥିଲା ।

୨୨୩ ରନର ବିଜୟ ଲକ୍ଷ ନେଇ ଗୁଜୁରାଟ ଜାଏଣ୍ଟସର ଷ୍ଟାର ଓପନର କ୍ରିସ ଗେଲ ଓ ବ୍ରାଇନ ପଡିଆକୁ ଓହ୍ଲାଇଥିଲେ। ନିରାଶ କରିଥିଲେ ଗେଲ୍ । ୨୦ଟି ବଲ ଖେଳି ମାତ୍ର ୧୫ ରନ କରି ଆଉଟ ହୋଇଥିଲେ କ୍ରିସ ଗେଲ୍ । ସେହିପରି ଅଧିନାୟକ ବିରେନ୍ଦ୍ର ସେହ୍ବାଗ ମଧ୍ୟ ଫ୍ୟାନ୍ସଙ୍କୁ ନିରାଶ କରିଥିଲେ । ବ୍ୟାଟିଂରେ ବିଫଳ ହୋଇଥିଲେ ସେହ୍ବାଗ । ୨୦ଟି ବଲ୍‌ରେ ୨୭ ରନ (୩ଟି ଚୌକା, ୧ ଛକା) କରି ସେହ୍ବାଗ ଆଉଟ ହୋଇଥିଲେ । କିଙ୍ଗସର ଶୃଙ୍ଖଳିତ ବୋଲିଂ ପାଇଁ ଦଳର ରନ ଗାଡି ଧିମା ପଡିଥିଲା ।

ଗୁଜୁରାଟ ଜିଆଣ୍ଟସ ପକ୍ଷରୁ ଯଶପାଲ ସିଂହ ଭଲ ବ୍ୟାଟିଂ କରିଥିଲେ । ସେ ୨୯ ବଲରୁ ୫୭ ରନ (୩ଟି ଛକା, ୬ ଟି ଚୌକା) କରି ଆଉଟ ହୋଇଥିଲେ । ୨୨୩ ରନର ବିଜୟ ଲକ୍ଷ ନେଇ ଖେଳୁଥିବା ଗୁଜୁରାଟ ୧୯.୪ ଓଭରରେ ୧୬୫ ରନରେ ଅଲଆଉଟ ହୋଇଯାଇଥିଲେ । ଭିଲୱାର କିଙ୍ଗସ ପକ୍ଷରୁ ଏସ ଶ୍ରୀସାନ୍ତ ସର୍ବାଧିକ ୩ ୱିକେଟ ନେଇଥିଲେ। ଭିଲୱାର କିଙ୍ଗସ ୫୭ ରନରେ ଏକ ବୃହତ ବିଜୟ ହାସଲ କରିଥିଲା ।

ଭିଲୱାରା ବାଟବାଟୀରେ ତାର ପ୍ରଥମ ମୁକାବିଲାରେ ମଣିପାଲଠୁ ପରାସ୍ତ ହୋଇଥିଲା । ଭିଲୱାରା ଗୁଜୁରାଟ ମୁକାବିଲା ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରାୟ ୧୫ ହଜାରରୁ ଅଧିକ ଦର୍ଶକ ଖେଳ ଦେଖିଥିଲେ । ଆସନ୍ତାକାଲି (ଗୁରୁବାର) ଇଣ୍ଡିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ମୁକାବିଲା ହେବ ।