ଖାଇବାତେଲ ଏମ୍‌ଆର୍‌ପି ହ୍ରାସ କଲେ ପ୍ରମୁଖ କମ୍ପାନୀ

ନୂଆଦିଲ୍ଲୀ,ଏଜେନ୍ସି: ନୂଆବର୍ଷ ପୂର୍ବରୁ ସାଧାରଣ ଲୋକଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି। ଏଣିକି ମହଙ୍ଗା ଖାଇବାତେଲ ଦରରୁ ସାମାନ୍ୟ ମୁକ୍ତି ମିଳିବ। ଦେଶର ପ୍ରମୁଖ ଖାଇବାତେଲ ନିର୍ମାତା ଏମ୍‌ଆର୍‌ପିରେ ହ୍ରାସ କରିଛନ୍ତି। ଉଦ୍ୟୋଗ ସଂଗଠନ ସଲ୍‌ଭେଣ୍ଟ୍ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏସ୍‌ଇଏ) ଏକ ବିବୃତି ଜାରି କରି ସୂଚନା ଦେଇଛି ଯେ ଆଦାନୀ ୱିଲ୍‌ମର ଓ ରୁଚି ସୋୟା ଆଦି ଖାଇବାତେଲ ଉତ୍ପାଦନର ପ୍ରମୁଖ କମ୍ପାନୀମାନେ ଏମ୍‌ଆର୍‌ପିରେ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେବା ଉପଲକ୍ଷେ ୧୦ରୁ ୧୫% ପର୍ଯ୍ୟନ୍ତ ହ୍ରାସ କରିଛନ୍ତି।

ଏସ୍‌ଇଏ ଅନୁସାରେ ଆଦାନୀ ୱିଲ୍‌ମର, ରୁଚି ସୋୟା, ଇମାମୀ, ବଞ୍ଜ୍‌, ଜେମିନି, ସିଓଏଫ୍‌ସିଓ, ସନୀ ବ୍ରାଣ୍ଡ୍ ଓ ଗୋକୁଲ ଆଗ୍ରୋ ଆଦି କମ୍ପାନୀ ମଧ୍ୟ ଖାଇବାତେଲ ଦରରେ ହ୍ରାସ କରିଛନ୍ତି। ପ୍ରମୁଖ କମ୍ପାନୀମାନେ ପାର୍ବଣ ଋତୁରେ ଉପଭୋକ୍ତାଙ୍କ ହିତରେ ଏହି ପଦକ୍ଷେପ ନେଇଛନ୍ତି ବୋଲି ଏସ୍‌ଇଏ କହିଛି। ସୂଚନାଯୋଗ୍ୟ ଯେ ନିକଟରେ କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ଉଦ୍ୟୋଗଜଗତର ଲିଡର୍‌ମାନଙ୍କ ଏକ ବୈଠକ ଆହ୍ୱାନ କରି କ୍ରମବର୍ଦ୍ଧିଷ୍ଣୁ ଦରଦାମ୍ ଉପରେ ନିୟନ୍ତ୍ରଣ ଆଣିବାକୁ ଅନୁରୋଧ କରିଥିଲେ। ସରକାର ମଧ୍ୟ ନିକଟରେ ଖାଇବାତେଲ ଆମଦାନୀ ଉପରେ ସୀମାଶୁଳ୍କ ହ୍ରାସ କରି ଦର ହ୍ରାସ କରିବାକୁ ଆଗୁଆ ପଦକ୍ଷେପ ନେଇଛନ୍ତି।