ଲକ୍ଷ୍ମୀ ବସର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁରରେ ଗଡ଼ିଲା ଲକ୍ଷ୍ମୀ ବସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଲକ୍ଷ୍ମୀ ବସ ଯୋଜନାର ଉଦଘାଟନ କରିଛନ୍ତି । ଏନେଇ ସ୍ଥାନୀୟ ସର୍କିଟ ହାଉସ ସମ୍ମୁଖ ପଡ଼ିଆରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ନବରଙ୍ଗପୁରରେ ପ୍ରଥମ ପର୍ଯ୍ୟାୟରେ ୪୪ଟି ବସ ଯୋଗାଇ ଦିଆଯାଇଛି । ଏହାଦ୍ୱାରା ଆଦିବାସି ବହୁଳ ଅଞ୍ଚଳରେ ଗମନାଗମନରେ ଉନ୍ନତି ଆସିପାରିବ, ଗାଁକୁ ସହର ସହିତ ସଂଯୋଗ ହୋଇପାରିବ, ସ୍କୁଲ କଲେଜ ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ସାଧାରଣ ଯାତ୍ରୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ମୋଟାମୋଟି ଭାବେ ମିଶନ ଶକ୍ତି ମହିଳା, ଭିନ୍ନକ୍ଷମ, ଗର୍ଭବତୀ ଓ ମହିଳାମାନେ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ସହଜରେ ଯାଇପାରିବେ । ଲକ୍ଷ୍ମୀ ବସ ସେବା ଦ୍ୱାରା ନବରଙ୍ଗପୁର ଜିଲ୍ଲାରେ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଭର୍ଚ୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକେୟନ ପାଣ୍ଡିଆନ ସଂଯୋଜନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ପରିବହନ ସଚିବ ଉଷା ପାଢ଼ୀ, ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବିଜେଡି ସାଂଗଠନିକ ସମ୍ପାଦକଙ୍କ ପ୍ରତିନିଧି ପ୍ରକାଶ ମହାନ୍ତି, ପର୍ଯ୍ୟବେକ୍ଷକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ସହପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ରଙ୍କ ସମେତ ବିଜେଡି ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ । ଲକ୍ଷ୍ମୀ ବସ ଯୋଜନାରେ ନିଯୁକ୍ତି ପାଇ ବେଶ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଡ୍ରାଇଭର, କଣ୍ଡକ୍ଟର ଓ ଅନ୍ୟ କର୍ମଚାରୀ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ ।