ଅନ୍ୟ ଅଦାଲତକୁ ମାମଲା ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ: ଆହୁରି ଉଗ୍ର ହେବ ଓକିଲଙ୍କ ଆନ୍ଦୋଳନ

ଦେବଗଡ ,ଏନ୍ଏନ୍ଏସ୍: ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବୀରେ ପଶ୍ଚିମ ଓଡିଶା ଓକିଲ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିବା ଦେବଗଡ ଜିଲ୍ଲା ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଇତି ମଧ୍ୟରେ ପ୍ରାୟ ଦେଢ ବର୍ଷ ପୂରଣ ହେବାକୁ ବସିଛି। ଗତ ୨୦୧୮ ମସିହା ସେପ୍ଟେମ୍ବର ୫ ତାରିଖ ଠାରୁ ଦେବଗଡଜିଲ୍ଲା ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ସାମିଲ ହୋଇଥିଲା। ଏହି ଆନ୍ଦୋଳନ ବର୍ଷାଧିକ ସମୟ ଧରି ଜାରି ରହିଥିଲେ ମଧ୍ୟ ସରକାର ଓକିଲ ସଂଘର ଦାବୀକୁ କାର୍ଯ୍ୟକାରୀ କରିବାରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରି ନଥିବା ବେଳେ ଓକିଲ ସଂଘ ମଧ୍ୟ ନିଜ ଦାବି ହାସଲ ପାଇଁ ନିଜ ଜିଦରେ ଅଟଳ ରହିଛନ୍ତି।

ତେବେ ସରକାର ଓ ଓକିଲ ସଂଘ ମଧ୍ୟରେ ସମାଧାନର କୌଣସି ସୂତ୍ର ବାହରୁ ନଥିବା ବେଳେ ଏଥିରେ ପ୍ରଭାବିତ ହେଉଛନ୍ତି ସାଧାରଣ ଜନତା। ଇତି ମଧ୍ୟରେ ଗତ ୧୩ ତାରିଖ ଦିନ ରାଜ୍ୟ ସରକାର ଙ୍କ ଆଇନ ବିଭାଗ ପକ୍ଷରୁ ଏକ ନୋଟିଫିକେସନ ଜାରି କରାଯାଇ ପଶ୍ଚିମ ଓଡିଶାର ଅଚଳ ରହିଥିବା ଅଦାଲତ ଗୁଡିକରେ ପଡି ରହିଥିବା ବିଚାରାଧିନ ମାମାଲାର ବିଚାର ପ୍ରକ୍ରୀୟା କୁ ତ୍ୱରାନ୍ନିତ କରିବା ପାଇଁ ପଦକ୍ଷେପ ସ୍ୱରୂପ ଆନ୍ଦୋଳନରେ ସାମିଲ ନ ଥିବା ଜିଲ୍ଲା ଗୁଡିକର ଅଦାଲତ ଗୁଡିକୁ ମାମଲା ସ୍ଥାନାନ୍ତର ପାଇଁ ବିଭିନ୍ନ ଅଦାଲତ ଚୟନ କରାଯାଇଥିବା ଜଣାପଡିଛି।

ଏହି କ୍ରମରେ ଦେବଗଡ ଜିଲ୍ଲା ଅଦାଲତ ଗୁଡିକରେ ପଡି ରହିଥିବା ବିଚାରାଧିନ ମାମଲା ଗୁଡିକୁ ପଡୋଶୀ କେନ୍ଦୁଝର ଜିଲ୍ଲା ର ଅଦାଲତ କୁ ସ୍ଥାନାନ୍ତର ପାଇଁ ନୋଟିଫିକେସନ ଜାରି କରାଯାଇ ଏହା ଗେଜେଟ ନୋଟିଫିକେସନ ହେବା ତାରିଖ ଠାରୁ କାର୍ଯ୍ୟକାରୀ ହେବା ନେଇ ଦେବଗଡ ଜିଲ୍ଲା ବିଚାର ବିଭାଗ ସମେତ ବିଭିନ୍ନ ବିଭାଗ କୁ ସୂଚନା ଆସିବା ପରେ କର୍ମଚାରୀ ଓ ଜନସାଧାରଣ ମଧ୍ୟରେ ସଂଶୟ ସୃଷ୍ଟି ହୋଇଛି। ତେବେ ଗେଜେଟ ନୋଟିଫିକେସନ କେଉଁ ତାରିଖରୁ ଜାରି କରାଯିବ ସେ ନେଇ କୈାଣସି ସ୍ପଷ୍ଟ ଚିତ୍ର କାହାରି ପାଖରେ ନ ଥିବା ବେଳେ ସରକାର ସୁପ୍ରିମକୋର୍ଟ ଙ୍କ ଆଦେଶର ଆଳ ଦେଖାଇ ପଶ୍ଚିମ ଓଡିଶା ଓକିଲ ସଂଘ ସମୁହକୁ ଭୂଆଁ ବୁଲାଇ ହାଇକୋର୍ଟ ବେଚଂ ଦାବୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସୁଚିନ୍ତିତ ଯୋଜନା କରିଥିବା ବହୁ ବୁଦ୍ଧିଜିବି ମତପ୍ରକାଶ କରିଛନ୍ତି।

ସେହିପରି ଓକିଲଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଯାଇ ସରକାର ପଶ୍ଚିମ ଓଡିଶା ତଥା ଶିଳ୍ପ ବିହୀନ ଅର୍ଥନୈତିକ ଅନଗ୍ରସର ଦେବଗଡ ଜିଲ୍ଲା ର ଜନସାଧାରଣ ଙ୍କୁ କୋରଡା ମାଡ କରିଥିବା ଆନ୍ଦୋଳନରେ ସାମିଲ ବହୁ ଆଇନଜୀବି ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଦେବଗଡ ଜିଲ୍ଲା ଓକିଲ ସଂଘର ସଭାପତି ରାଜୀବ ଲୋଚନ ପ୍ରଧାନ ଙ୍କ ମତାମତ ନେବାରୁ ସଂଘର ସାଧାରଣ ବୈଠକ ପରେ ସଂଘ ଆଗାମୀ ଦିନର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ ବୋଲି ମତ ପ୍ରକାଶ କରିଛନ୍ତି। ଏଣୁ ଆଗାମୀ ଦିନରେ ପଶ୍ଚିମ ଓଡିଶା ହାଇକୋର୍ଟର ସ୍ଥାୟୀ ବେଚଂ ସ୍ଥାପନ ଦାବୀ କୁ ନେଇ ଚାଲିଥିବା ଆନ୍ଦୋଳନ ଉଗ୍ର ରୂପ ନେବାର ଆଶଙ୍କା ସୃଷ୍ଟି ହୋଇଛି।