ବନ୍ଧା ହେଲା ରେଲୱେ ଇ-ଟିକେଟ ଠକ

ଅନଲାଇନରେ ରେଲୱେ ଟିକେଟ କରି କଳାବଜାରି କରୁଥିବା ଜଣେ ଠକଙ୍କୁ ରେଳସୁରକ୍ଷା ବଳ (ଆରପିଏଫ) ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ବିଷ୍ଣୁ ପ୍ରସାଦ ପଟ୍ଟନାୟକ। ଆରପିଏଫ୍ ଏନେଇ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି। ଗତ ଶୁକ୍ରବାର ଏଭଳି ଜଣେ ଠକଙ୍କୁୁ ପୁରୀରୁ ଗିରଫ କରାଯାଇଥିଲା। ବେଶ କିଛିଦିନ ହେଲା ବିଷ୍ଣୁ ପ୍ରସାଦ ଭୁବନେଶ୍ୱରରେ ରହି ଅନଲାଇନ ରେଲୱେ ଟିକେଟ କଳାବଜାରି କରୁଥିଲେ। ସେ ୪୦ରୁ ଅଧିକ ଆକାଉଣ୍ଟ ଓ ପାସୱାର୍ଡ ବ୍ୟବହାର କରି ମାତ୍ରାଧିକ ରେଲୱେ ଟିକେଟ କାଟୁଥିଲେ।

ସେଗୁଡିକୁ ସେ ବିଭିନ୍ନ ସଂସ୍ଥାକୁ ବିକ୍ରି କରି ମୋଟା ଅଙ୍କାର ଅର୍ଥ ଉପାର୍ଜନ କରୁଥିଲେ। ଯାହା ସମ୍ପୂର୍ଣ୍ଣ ବେଆଇନ ଅଟେ। ଏହା ଜଣାପଡିବା ପରେ ଆରପିଏଫ ତାକୁ ଗିରଫ କରିଥିଲା। ତାଙ୍କଠାରୁ ୭୦ରୁ ଅଧିକ ଟିକେଟ, ଲାପଟପ, ୩ଟି ମୋବାଇଲ ଜବତ କରାଯାଇଛି।

ଆର୍ପିଏଫ୍ ଅଧିକାରୀଙ୍କ କହିବାନୁସାରେ, ଆଇଆର୍ସିଟିସି ମାଧ୍ୟମରେ ରେଲୱେ ଟିକେଟ କଟାଯାଇଥାଏ। ଅନଲାଇନ ଟିକେଟ ବିକ୍ରି କରିବାକୁ ଆଇଆର୍ସିଟିସି କେତେକ ସଂସ୍ଥାକୁ ଅନୁମତି ଦେଇଥାଏ। ଉକ୍ତ ସଂସ୍ଥା ପ୍ରତିଦିନ କେତୋଟି ଟିକେଟ କାଟି ପାରିବେ, ସେ ନେଇ ମଧ୍ୟ ସଂଖ୍ୟା ନିର୍ଦ୍ଧାରଣ କରାଯାଇଥାଏ। ରେଲୱେ ଆକ୍ଟ ୧୪୩ ଅନୁସାରେ ଜଣେ ବ୍ୟକ୍ତି ନିଜ ଆଇଡି ବ୍ୟବହାର କରି ନିଜ ଓ ନିଜ ପରିବାର ପାଇଁ ଟିକେଟ କାଟି ପାରିବେ। କିନ୍ତୁ ବ୍ୟବସାୟିକ ଉଦ୍ଦେଶ୍ୟ ରଖି ଏହାକୁ ବ୍ୟବହାର କରିପାରିବେ ନାହିଁ। ଯଦି କେହି ଏଭଳି କରନ୍ତି, ତେବେ ରେଲୱେ ଆକ୍ଟ ୧୪୩ ଅନୁସାରେ ଏହା ଦଣ୍ଡନୀୟ ଅପରାଧ। ଯେଉଁଥି ପାଇଁ ୩ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜୋରିମାନାର ବ୍ୟବସ୍ଥା ରହିଛି।

ରାଜ୍ୟରେ ଏଭଳି ଅନଲାଇନ ଠକେଇ ହେଉଥିବା ଅଭିଯୋଗ ଆସିବା ପରେ ରେଳବାଇ ପକ୍ଷରୁ ଠକଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଆରପିଏଫକୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି। କିଛିଦିନ ହେଲା ଆରପିଏଫ୍ ଅନଲାଇନ ଟିକେଟ ଉପରେ ତୀକ୍ଷ୍ଣ ନଜର ରଖିଥିଲା। ଏହିକ୍ରମରେ ଖୋର୍ଦ୍ଧାରୋଡ, ଡେଲାଙ୍ଗ ଓ ପୁରୀ ଅଞ୍ଚଳରୁ ଏକାଧିକ ଠକଙ୍କୁ ଗିରଫ କରାଯାଇଛି। ଆଗକୁ ଏଭଳି ଅଭିଯାନ ଜାରି ରହିବ ବୋଲି ଆରପିଏଫ୍ ପକ୍ଷରୁ କୁହାଯାଇଛି।