ପଞ୍ଚଭୂତରେ ବିଲୀନ ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ପଦ୍ମଶ୍ରୀ ଡକ୍ଟର ଅଜୟ ପରିଡା

ଯାଜପୁର,ଏନ୍ଏନ୍ଏସ୍: ପଞ୍ଚଭୂତରେ ବିଲୀନ ହେଲା ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡାଙ୍କ ପାର୍ଥିବ ଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯାଜପୁର ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅଜୟ ପରିଡ଼ାଙ୍କ ଶେଷ ଦର୍ଶନ ବେଳେ ଉପସ୍ଥିତ ପ୍ରାୟ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଭାବ ବିହ୍ବଳ ହୋଇ ପଡ଼ିଥିଲେ ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ଭଗବାନପୁର ଗାଁରେ ଜମିଥିଲା ଲୋକଙ୍କର ଭିଡ଼ । ଭଗବାନପୁର ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ କୃତ୍ୟ ସମ୍ପନ୍ନ ହେଲା । ବୁଧବାର ଭୁବନେଶ୍ବରରୁ ସ୍ୱର୍ଗତଃ ଅଜୟ ପରିଡାଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଜାରକା ଛକଠୁ ଏକ ଶୋଭାଯାତ୍ରାରେ ଅଜୟ ପରିଡ଼ାଙ୍କ ପାର୍ଥିବ ଶରୀରକୁ ଭଗବାନପୁର ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା । ଏହି ସମୟରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ପୂର୍ବତନ ସାଂସଦ ରୀତା ତରାଇ ପ୍ରମୁଖ ଭଗବାନପୁରସ୍ଥିତ ଅଜୟ ପରିଡ଼ାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ । ଯାଜପୁର ମାଟିର ସୁଯୋଗ୍ୟ ସନ୍ତାନ ବିୟୋଗରେ ପ୍ରତ୍ୟେକ ମ୍ରିୟମାଣ ହୋଇଥିଲେ ।