ମଝି ଆକାଶରେ ଓ୍ବିଣ୍ଡ ସିଲ୍ଡରେ ଫାଟ, ଜରୁରୀ ଅବତରଣ କଲା ଦିଲ୍ଲୀ-ଗୋହାଟୀ ଗୋ ଫାଷ୍ଟ ବିମାନ

ଜୟପୁର,ଏଜେନ୍ସି: ସ୍ପାଇସ ଜେଟ ପରେ ଗୋ ଫାଷ୍ଟ ବିମାନରେ କ୍ରମାଗତ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଛି । ଆଜି (ବୁଧବାର) ମଝି ଆକାଶରେ ଦିଲ୍ଲୀରୁ ଗୌହାଟୀ ଅଭିମୁଖେ ଉଡାଣ ଭରିଥିବା ଏକ ବିମାନର ଓ୍ବିଣ୍ଡସିଲ୍ଡ ଫାଟିଯିବା କାରଣରୁ ଜୟପୁରରେ ବିମାନକୁ ଜରୁରୀ ଅବତରଣ କରାଇବାକୁ ପଡିଛି । ଅନ୍ୟ ଏକ ଆଶ୍ବସ୍ତିକର ସୂଚନା ଅନୁସାରେ, ବିମାନଟି ଜୟପୁର ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ତେବେ କେଉଁ କାରଣରୁ ବିମାନ କକପିଟର ଓ୍ବିଣ୍ଡସିଲ୍ଡରେ ଫାଟ ସୃଷ୍ଟି ହେଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ପ୍ରତିକୂଳ ପାଗ ପ୍ରଭାବରେ ଏପରି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଗତକାଲି (ମଙ୍ଗଳବାର) ଯାନ୍ତ୍ରିକ ତ୍ରୁଟି କାରଣରୁ ଦିଲ୍ଲୀ ଓ ଶ୍ରୀନଗର ବିମାନ ବନ୍ଦରକୁ ଦୁଇଟି ଗୋ-ଏୟାର ବିମାନଙ୍କୁ ଡାଇର୍ଭଟ କରିବାକୁ ପଡିଥିଲା । ଉଭୟ ବିମାନର ଇଞ୍ଜିନରେ ତ୍ରୁଟି ଦେଖାଯାଇଥିଲା । ମୁମ୍ବାଇରୁ ଲେହ ଅଭିମୁଖେ ଉଡାଣ ଭରିଥିବା ଗୋ-ଏୟାର ଏ-୩୨୦ ବିମାନକୁ ଡାଇଭର୍ଟ କରାଯାଇ ଦିଲ୍ଲୀରେ ଜରୁରୀ ଅବତରଣ କରାଯାଇଥିଲା । ସେହିପରି ଅନ୍ୟ ଏକ ବିମାନ ୩୨୦ ଶ୍ରୀନଗରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ବେଳେ ଉକ୍ତ ବିମାନକୁ ମଧ୍ୟ ଶ୍ରୀନଗର ଫେରାଇ ଆଣାଯାଇଥିବା ବେସାମରିକ ଉଡାଣ ମନ୍ତ୍ରଣାଳୟ (ଡିଜିସିଏ) ସୂଚନା ଦେଇଥିଲା ।

ଅନ୍ୟ ଏକ ବିମାନ କମ୍ପାନୀ ‘ସ୍ପାଇସଜେଟ’ରେ ମଧ୍ୟ କ୍ରମାଗତ ଭାବେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଛି । ଏକାଧିକ ଜରୁରୀ ଅବତରଣ କାରଣରୁ ଯାତ୍ରୀଙ୍କ ମଧ୍ୟରେ ଭୟ ସଞ୍ଚାର ହେବା ସହ ସେମାନଙ୍କ ସୁରକ୍ଷା ନେଇ ଉଦବେଗ ପ୍ରକାଶ ପାଇଛି । ବିମାନ କମ୍ପାନୀ ଉଡାଣ ସମ୍ପର୍କିତ ସମସ୍ତ ସୁରକ୍ଷା ପ୍ରୋଟୋକଲ ଅନୁସରଣ କରୁନଥିବା କାରଣର ଏପରି ବାରମ୍ବାର ହେଉଥିବା ଅଭିଯୋଗ ମଧ୍ୟ ଉଠିଛି । ସ୍ପାଇସଜେଟର ଉଡାଣ ଅନୁମତି ବାତିଲ କରିବା ପାଇଁ କୋର୍ଟରେ ଜନସ୍ବାର୍ଥ ମାମଲା ମଧ୍ୟ ଦାଏର ହୋଇଛି ।