ଓଡ଼ିଶା-ଆନ୍ଧ୍ର ପୁଲିସର ମିଳିତ କୁମ୍ବିଂ ଅପରେସନରେ ବହୁ ମାଓ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରୁ ଓଡ଼ିଶା ଓ ଆନ୍ଧ୍ର ପୁଲିସ ବିପୁଳ ପରିମାଣରେ ମାଓ ଅସ୍ତ୍ରଶସ୍ତ୍ର ଜବତ କରିଛି। ଓଡ଼ିଶା ପୁଲିସ ଡିଭିଏଫ, ଏସଓଜି, ବିଏସଏଫ ଓ ଆନ୍ଧ୍ରପ୍ରଦେଶ ଗ୍ରେ ହାଉଣ୍ଡ ପୁଲିସ ଦ୍ୱାରା ଗତ ଏକ ସପ୍ତାହ ଧରି ସ୍ୱାଭିମାନ ଅଞ୍ଚଳରେ ବହୁମୁଖୀ ଅପରେସନ ଚାଲିଥିଲା। ଏହି ଅପରେସନ ସମୟରେ ଏକ ସୂଚନା ମିଳିବା ପରେ ସ୍ୱାଭିମାନ ଅଞ୍ଚଳର ବିସ୍ତୃତ ଅଞ୍ଚଳରେ ତଲାସୀ କରି ମାଓବାଦୀମାନେ ମାଟି ତଳେ ଲୁଚାଇ ରଖିଥିବା ଏହି ଅସ୍ତ୍ରଶସ୍ତ୍ରକୁ ଜବତ କରାଯାଇଛି। ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ୨ଟି ଏସଏଲଆର ବନ୍ଧୁକ, ଗୋଟିଏ ଥ୍ରୀ ନଟ ଥ୍ରୀ ବନ୍ଧୁକ, ଗୋଟିଏ ଆଇଇଡି, ୩ଟି ଏସଏଲଆର ମାଗାଜିନ, ୯ଟି ଏସଏଲଆର ଗୁଳି, ଗୋଟିଏ ମାଗାଜିନ ପାଉଚ ଓ ବହୁ ମାଓ ସାମଗ୍ରୀ ଜବତ କରାଯାଇଥିବା ମାଲକାନଗିରି ଏସପି ରିଷିକେଶ ଡି ଖିଲାରୀ ପ୍ରକାଶ କରିଛନ୍ତି । ଜବତ କରାଯାଇଥିବା ଆଇଇଡିକୁ ପୁଲିସ ପକ୍ଷରୁ ନିଷ୍କ୍ରିୟ କରାଯାଇଛି। ଏହି ଅସ୍ତ୍ରଶସ୍ତ୍ର ଆନ୍ଧ୍ର-ଓଡ଼ିଶା ସୀମାନ୍ତ ସ୍ୱତନ୍ତ୍ର ଜୋନାଲ କମିଟିର ମାଓ ନେତାଙ୍କର ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଏହାକୁ ନିରୀହ ନାଗରିକ ଓ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବ୍ୟବହାର କରିବା ପାଇଁ ରଖିଥିବା ସଂପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଓ ତଲାସୀ ଅଭିଯାନ ଜାରୀ ରହିଥିବା ଏସପି ଶ୍ରୀ ଖିଲାରୀ ପ୍ରକାଶ କରିଛନ୍ତି।