ହିନ୍ଦୀରେ ଏତଲା ଲେଖାଥିବାରୁ ପୁଲିସ ଗ୍ରହଣ କରିନଥିବା ଅଭିଯୋଗ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ତାଲପଟିଆ ଫାଣ୍ଡିରେ ହିନ୍ଦୀରେ ଲେଖା ହୋଇଥିବା ଏତଲାକୁ ଗ୍ରହଣ କରାଯାଇନଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି। ଓଡ଼ିଆ କିମ୍ବା ଇଂରାଜୀରେ ଲେଖି ଏତଲା ଦେଲେ ଗ୍ରହଣ କରାଯିବ ବୋଲି ତାଙ୍କୁ ପୁଲିସ ପକ୍ଷରୁ କୁହାଯାଇଥିବା ସେ କହିଛନ୍ତି। ଅଭିଯୋଗ ଅନୁଯାୟୀ, ତାଲପଟିଆ ଫାଣ୍ଡି ଅଞ୍ଚଳରେ ରହୁଥିବା ଲକ୍ଷ୍ମୀ ନାୟକ ନାମକ ଜଣେ ମହିଳା ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ନେଇ ତାଲପଟିଆ ଫାଣ୍ଡିକୁ ଯାଇ ହିନ୍ଦୀରେ ଏକ ଏତଲା ଦେଇଥିଲେ। ହେଲେ ପୁଲିସ ସେଠାରେ ଏତଲା ଗ୍ରହଣ ନ କରି ଓଡ଼ିଆ କିମ୍ବା ଇଂରାଜୀରେ ଲେଖିକି ଆଣିବା ପାଇଁ କହିବାରୁ ସେ ନିଜର ସମ୍ପର୍କୀୟଙ୍କଠାରୁ ଇଂରାଜୀରେ ଏତଲା ଲେଖାଇବାକୁ ବାଧ୍ୟ ହୋଇଥିଲେ। ଏତଲା ଇଂରାଜୀରେ ଲେଖିବାକୁ ପଡ଼ିଥିବାରୁ ସେ ତାଙ୍କର ସମସ୍ତ ଅଭିଯୋଗକୁ ଭଲ ଭାବରେ ଉଲ୍ଲେଖ କରିପାରି ନଥିବା କହିଛନ୍ତି। ଅନ୍ୟପଟେ ଏନେଇ ତାଲପଟିଆ ଫାଣ୍ଡି ଅଧିକାରୀ କଲ୍ୟାଣୀ ବେହେରାଙ୍କୁ ପଚାରିବାରୁ, ମହିଳା ଜଣକ ଇଂରାଜୀରେ ଏତଲା ଦେଇଛନ୍ତି ଏବଂ ପୁଲିସ ତାକୁ ଗ୍ରହଣ କରି ମାମଲା ରୁଜୁ କରିଛି ବୋଲି କହିଛନ୍ତି। ସେ ହିନ୍ଦୀରେ ଲେଖାଥିବା କୌଣସି ଏତଲା ପୁଲିସକୁୁ ଦେଇନଥିବା ଫାଣ୍ଡି ଅଧିକାରୀ କହିଛନ୍ତି। ଅନ୍ୟପଟେ ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆରଙ୍କୁ ଏନେଇ ପଚାରିବାରୁ ସେ ଘଟଣାର ତଦନ୍ତ କରିବା ପରେ ସତ୍ୟାସତ ଜଣାପଡ଼ିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଦିନକ ପୂର୍ବରୁ ଓଏମପି ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ଉ କରି ଜଣେ ମହିଳାଙ୍କୁ ଅଟକ ରଖି କିଛି ସମୟ ପରେ ଛାଡ଼ି ଦେଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ସଂପୃକ୍ତ ମହିଳା ଜଣକ ଲକ୍ଷ୍ମୀ ନାୟକଙ୍କ ସହ ଝଗଡ଼ା କରିବା ସହ ଅଶ୍ଳିିଳ ଭାଷାରେ ଗାଳିଗୁଳଜ କରିଥିଲେ। ଏହାର ଅଭିଯୋଗ କରିବା ପାଇଁ ଲକ୍ଷ୍ମୀ ତାଲପଟିଆ ଫାଣ୍ଡିକୁ ଯାଇଥିଲେ।