ଅହମ୍ମଦାବଦର କପଡ଼ା ଗୋଦାମରେ ନିଆଁ ଲାଗି ୯ ମୃତ

ଅହମ୍ମଦାବାଦ,ଏଜେନ୍ସି: ଗୁଜୁରାଟର ଅହମ୍ମଦବାଦସ୍ଥିତ ଏକ କପଡ଼ା ଗୋଦାମରେ ଭୀଷଣ ନିଆଁ ଲାଗି ୯ ଜଣଙ୍କର ମୃତ୍ୟୁ ଘଟିଛି। ନିଆଁରେ ଗୋଦାମର ଗୋଟିଏ ଭାଗ ଗଳିଗଡ଼ିବା ଯୋଗୁ ୯ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟପଟେ କିଛି ଲୋକ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ଯାହାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି।

ସୂଚନାଯୋଗ୍ୟ, ଅହମ୍ମଦାବାଦର ପିପଲାଜର ନାନୁକାକା ଏଷ୍ଟେଟସ୍ଥିତ କପଡ଼ା ଗୋଦାମରେ ଲାଗିଥିବା ନିଆଁରେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ମିଳିଥିବା ରିପୋର୍ଟ ଅନୁସାରେ ମୃତକଙ୍କ ସଂଖ୍ୟା ବଢ଼ିପାରେ। ଅହମ୍ମଦାବାଦର ଫାୟର ଏଣ୍ଡ ଏମରଜେନ୍ସୀ ସର୍ଭିସର ମୁଖ୍ୟଙ୍କ କହିବାନୁସାରେ, ପ୍ରଥମେ ପାଖରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଥିଲା। ପରେ ଉକ୍ତ ଗୋଦାମରେ ବିଲ୍ଡିଂ ଗଳି ପଡ଼ିବା ସହ ନିଆଁ ଲାଗିଥିଲା। ବର୍ତ୍ତମାନ ୧୧ଟି ଅଗ୍ନିଶମ ଗାଡ଼ି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି।