ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ବିଶାଳ ଜନଜାତି ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜନଜାତି ସୁରକ୍ଷା ମଞ୍ଚ ଜିଲ୍ଲା ସଭାପତି ଦିବାକର ପାତ୍ର ଓ ସମ୍ପାଦକ କ୍ଷୀରସିନ୍ଧୁ ଭୋଇଙ୍କ ନେତୃତ୍ୱରେ ସ୍ଥାନୀୟ ପ୍ରଧାନପାଟଠାରେ ଆୟୋଜିତ ଏହି ଜନଜାତି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ଜନଜାତି ସମ୍ପର୍କ ପ୍ରମୁଖ ମଣିରାମ ପାଲ, ଫୁଲବାଣି ଜିଲ୍ଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟ୍ରାଇଫେଡର ସର୍ବଭାରତୀୟ ଉପସଭାପତି ପବିତ୍ର କହଁର, କୁଚିଣ୍ଡା ଓ ଲଇକିରା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ପ୍ରମୁଖ ଯୋଗଦେଇ ଉପସ୍ଥିତ ଜନଜାତି ସଂପ୍ରଦାୟକୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ଆଦିବାସୀ ପରମ୍ପରା ଓ ସଂସ୍କୃତିକୁ ମାନୁନଥିବା ଓ ସ୍ୱଧର୍ମ ସ୍ୱଜାତି ପରିତ୍ୟାଗ କରିଥିବା ବିଧର୍ମ ଜନଜାତିଙ୍କୁ ସରକାରୀ ସଂରକ୍ଷଣରୁ ବାଦ ଦେବା ପାଇଁ ଦାବୀ କରିଥିଲେ । ପରେ ପାରମ୍ପାରିକ ଅସ୍ତ୍ରସସ୍ତ୍ର ଓ ନୃତ୍ୟ ସହ ଜନଜାତିମାନେ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକତ୍ରୀତ ହୋଇ ଶକ୍ତି ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।