୫-ଟି ଲଗାଇ ହଡପ ହୋଇଥିବା ଗୋଚର ଜମିକୁ ସରକାରୀ ଖାତାକୁ ଫେରାଯାଉ: ବିଜେପି

୪୦୦ କୋଟିରୁ ଅଧିକ ଜମି ଦୁର୍ନୀତିକୁ ଘୋଡାଇବା ପାଇଁ ମହାରଥୀ ଏବଂ ଯୁଧିଷ୍ଠିରଙ୍କ ସନ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ୧୦୦ କୋଟିରୁ ଅଧିକ ମୂଲ୍ୟର ସରକାରୀ ଜମିକୁ ହଡପ କରିଛନ୍ତି । ମହାରଥୀ ବେଆଇନ ଭାବେ ସରକାରୀ ଜମିକୁ ହଡପ କରି ନିଜ ଫାର୍ମ ହାଉସରେ ମିଶାଇଛନ୍ତି । ଓଡିଶା ସରକାରଙ୍କର ଜଣେ କ୍ୟାବିନେଟ୍ ମନ୍ତ୍ରୀ ଥାଇ ସେ ସର୍ବସାଧାରଣ ସମ୍ପତି, ଜଳସେଚିତ କେନାଲ ଜମି, ଗୋଚର, ଚକନାଳୀ, ଚକ ରାସ୍ତା, ରିଜର୍ଭ୍ ଜଙ୍ଗଲ, ଅନାବାଦି, ଚକ ରାସ୍ତା ଆଦିକୁ ନିଜ ହୁଙ୍କେଇପୁର ଫାର୍ମ୍ ହାଉସ୍ ରେ ମିଶାଇ ଜବରଦଖଲ କରି ସର୍ବସାଧାରଣ ଚାଷୀମାନଙ୍କର ଚାଷକାମରେ ଅସୁବିଧା ସୃଷ୍ଟି କରୁଛନ୍ତି ।

ତାଙ୍କର ହୁଙ୍କେଇପୁର ଫାର୍ମ୍ ହାଉସ୍ ନିକଟବର୍ତୀ ମୌଜା ପୋଢାଗୁଣ ଓ ପାଣିଦୋଳ ଗ୍ରାମର ବିଭିନ୍ନ ସରକାରୀ ପ୍ଲଟ୍ ତାଙ୍କ ଫାର୍ମ ହାଉସରେ ମିଶାଇ ଦେଇ ଭୋଗ ଦଖଲ କରୁଛନ୍ତି । ଏହା ଏକ ଧର୍ତବ୍ୟ ଅପରାଧ । ଶହ ଶହ ଏକର ସରକାରୀ ଓ ସର୍ବସାଧାରଣକୁ ଜମି ହଡପ କରିବା ବିରୁଦ୍ଧରେ ରାଜ୍ୟ ସରକାର ନୀରବ କାହିଁକି ବୋଲି ରାଜ୍ୟ ବିଜେପି ପ୍ରଶ୍ନ ଉଠାଇଛି । ରାଜ୍ୟକାର୍ୟ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ଯେ, ମହାରଥୀଙ୍କ ବେଆଇନ ଜମି ଜବରଦଖଲ ବିରୋଧରେ ପୁର୍ବତନ ବିଧାୟକ ଯୁଧିଷ୍ଟିର ସାମନ୍ତରାୟ କେସ ନଂ ୭୬୭୧/୨୦୧୫ ଓଡିଶା ହାଇକୋର୍ଟରେ ଏ ସଂକ୍ରାନ୍ତରେ ମୋକଦ୍ଧମା କରିଥିଲେ ।

ହାଇକୋର୍ଟ ୨୩/୦୨/୨୦୧୬ରେ ନିର୍ଦ୍ଦେଶ ଦେଇଥିଲେ ଯେ, ଦରଖାସ୍ତକାରୀ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ନିକଟରେ ଦରଖାସ୍ତ କରିବେ ଏବଂ ଜିଲ୍ଲାପାଲ ଦୁଇ ମାସ ଭିତରେ ନିଷ୍ପତି ନେବେ । ମାତ୍ର ଜିଲ୍ଲାପାଳ ଆଜି ପର୍ୟ୍ୟନ୍ତ କୈାଣସି ନିଷ୍ପତି ନେଇନାହାନ୍ତି କାହିଁକି ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟିକରିଛି । ଯିଏ ଏହି ଦୁର୍ନୀତି ବିରୁଦ୍ଧରେ କୋର୍ଟକୁ ଯାଇଥିଲେ ସେ ହଠାତ୍ ମହାରଥୀଙ୍କ ପାଖରେ ଶରଣ ପଶିଥିଲେ । କାରଣ ଖୋଦ୍ ଯୁଧିଷ୍ଟର ସାମନ୍ତରାୟ ପିପିଲିରେ ୩୦୦ କୋଟିରୁ ଅଧିକ ଜମିକୁ ହଡପ କରିଛନ୍ତି ।
ଯୁଧିଷ୍ଟିର ସାମନ୍ତରାୟଙ୍କର (କେଦାର ବାବୁ) ତାଙ୍କର ଜଣେ ଘନିଷ୍ଠ ସହେଯାଗୀ ଓ ବିଶ୍ୱସ୍ତ କର୍ମୀଙ୍କ ବାପା ସ୍ୱର୍ଗତ ରାଜ କିଶୋର ମହାପାତ୍ର ଓ ତାଙ୍କ ଭାଇଙ୍କ ଶ୍ୱଶୁରଙ୍କ ନାମରେ ଚଂଚକତା କରି ପିପିଲି ତହସିଲରେ ୫୬ ଏକର ରୁ ଉର୍ଦ୍ଧ ଗୋଚର ଜମିକୁ ତôକଳିନ ତହସିଲଦାର୍ ଓ ଜିଲ୍ଲାପାଳମାନଙ୍କ ସହାୟତାରେ ହଡପ କରିନେଇଛନ୍ତି, ଯାହାର ଆନୁମାନିକ ମୁଲ୍ୟ ୩୦୦ କୋଟି ଟଙ୍କାରୁ ଅଧିକ ହେବ । ୧୯୭୪ ମସିହାରେ ରାଜକିଶୋର ମହାପାତ୍ର ନାମକ ଜୈନିକ ବ୍ୟକ୍ତି ନାମରେ ଉକ୍ତ ୧୦ ଏକରରୁ ଉର୍ଦ୍ଧ ଜମି ଗୋଟିଏ ମିସ୍ କେସ୍ ମାଧ୍ୟମରେ ତକାଳୀନ ତହସିଲଦାର ଚଂଚକତା ପୂର୍ବକ ସେହି ଜମିକୁ ଓଡିଶା ଇଷ୍ଟେଟ ଆବୋଲିସନ ଆକ୍ଟ ଅନୁସାରେ ସେଟେଲ୍ କରିଛନ୍ତି ବୋଲି ଏକ ନକଲି କାଗଜ ତହସିଲ ଅଫିସରେ କିଛି କର୍ମଚାରିଙ୍କୁ ଧରି ପ୍ରସ୍ତୁତ କରିଥିଲେ ।

ତକାଳୀନ ଜିଲ୍ଲାପାଳ ତା.୩.୦୭.୨୦୧୦ରେ ଏହାକୁ ଧରିପାରିଥିଲେ । ଚଂଚକତାପୁର୍ଣ୍ଣ ଓ ବେଆଇନ ହୋଇଛି ବୋଲି ରାଜସ୍ୱ ପରିଷଦଙ୍କ ଅଦାଲତରେ ଓଡିଶା ଇଷ୍ଟେଟ ଆବୋଲିସନ ଆକ୍ଟ ରିଭିଜନ କେସ୍ ନଂ -୭/୨୦୧୦ ରେ ଏକ ମୋକଦ୍ଦମା ଦାଖଲ କରିଥିଲେ , ଯାହା ବର୍ତମାନ ସୁଦ୍ଧା ବିଚାର ନ ହୋଇ ପଡିରହିଛି । ସେହିପରି ମୌଜା ଏକଚାଳିଆ ତହସିଲ୍ ପିପିଲି ଖାତା ନଂ-୩୧୮ରେ (ସାବକ)ଏ ୨୧. ୮୯ ଡିସିମିଲି୍ ଗୋଚର ଜମିକୁ ରାଜକିଶୋର ମହାପାତ୍ରଙ୍କ ନାମରେ ଚଂଚକତା ପୂର୍ବକ ରେକଡର୍୍ କରିନିଆଯାଇଛି । ଯାହାର ଆନୁମାନିକ ମୁଲ୍ୟ ୮୮ କୋଟି ରୁ ଅଧିକ ହେବ ।

ମୌଜା ନିଜିଗଡ କୁରୁଖି – ପିପିଲି ତହସିଲ୍ ରେ ଖାତା ନଂ-୧୬୬ ,ପ୍ଲଟ୍ ନଂ-୫ (ସାବକ) ୧୭୧ ଏକର ଗୋଚର ଜମି ମଧ୍ୟରୁ ୨୫ ଏକର ଜମି ଉଦ୍ୟନାଥ ଜେନାଙ୍କ ନାମରେ ଚଂଚକତା କରି ହଡପ୍ କରିନେଇଛନ୍ତି । ଉଦ୍ୟନାଥ ଜେନା ଶ୍ରୀ ଯୁଧିଷ୍ଟିର ସାମନ୍ତରାୟଙ୍କର ନିଜ ଭାଇ ନରେନ୍ଦ୍ର ସାମନ୍ତରାୟଙ୍କ ଶ୍ୱଶୁର ଅଟନ୍ତି । ଏହି ୨୫ ଏକର ଜମି ଓଡିଶା ଇଂଜିନିୟରିଙ୍ଗ କଲେଜ ସାମ୍ନାରେ ଅବସ୍ଥିତ ଏବଂ ଯାହାର ଆନୁମାନିକ ମୁଲ୍ୟ ୧୨୫ କୋଟି ରୁ ଉର୍ଦ୍ଧ ହେବ ବୋଲି ପିପିଲି ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଆଶ୍ରିତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

କୋଟି କୋଟି ଟଙ୍କାର ସର୍ବସାଧାରଣ ଗୋଚର ଜମିକୁ ଯେଉଁମାନେ ହଡପ୍ କରିନେଇଛନ୍ତି ସେମାନଙ୍କ ବିରୋଧରେ ସରକାର ତୁରନ୍ତ ପଦକ୍ଷେପ ନେବା ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ରାଜ୍ୟସରକାର ୫-ଟି କଥା କହୁଥିବାବେଳେ ସେହି ୫-ଟି ଲଗାଇ ହଡପ ହୋଇଥିବା ଗୋଚର ଜମିକୁ ସରକାରୀ ଖାତାକୁ ଫେରାଯାଉ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।