ବିଧାନସଭାରେ ଉଠିଲା ଦଳିତ ଯୁବତୀ ଦୁଷ୍କର୍ମ ଘଟଣା

– ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି
– ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବା ଦାବିରେ କଂଗ୍ରେସର ହଟ୍ଟଗୋଳ , ଗୃହ ବାରମ୍ବାର ମୁଲତବୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସୋମବାର ବିଧାନସଭାରେ ଜଗତସିଂହପୁର ଜିଲ୍ଲାର ନାଉଁଗାଁରେ ଘଟିଥିବା ଦଳିତ ଝିଅକୁ ଦୁଷ୍କର୍ମ ଘଟଣାକୁ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଏହି ପ୍ରସଙ୍ଗ ଯଦି ସତ ହୋଇଥିବ ତେବେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଦରକାର ବୋଲି ଶ୍ରୀ ମିଶ୍ର କହିଥିଲେ । ସେ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ଦେବାକୁ ନିର୍ଦେଶ ଦେବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲୋ ପରେ କଂଗ୍ରେସ ବିଧାୟକ ମାନେ ଏହି ମାମଲାରେ ରୁଲିଂ ଦେବାକୁ ଦାବି କରି ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତିଙ୍କୁ ଗୃହକୁ ମୁଲତବୀ କରିବାକୁ ପଡିଥିଲା ।

ଶୂନ୍ୟ କାଳରେ ଶ୍ରୀ ନରସିଂହ ମିଶ୍ର ଗୃହ ବିଭାଗର ଖର୍ଚ ଦାବି ଆଲୋଚନା ବେଳେ ମହିଳା ମାନଙ୍କ ପ୍ରତି ନିର୍ୟ୍ୟାତନା ମାମଲାରେ ରାଜନୀତି କରିବା ଉଚିତ ନୁହେଁ ବୋଲି ଦେଇଥିବା ବକ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଯେ ଜଗତସିଂହପୁର ଜିଲ୍ଲାରେ ଦଳିତ ଝିଅ ସହିତ ଯେ ପରି ଭାବରେ ତାର ମାତା ପିତାଙ୍କ ସାମନାରେ ଦୁଷ୍କର୍ମ କରା ଗଲା ଓ ପରେ ସେହି ଝିଅ ଆତ୍ମହତ୍ୟା କଲା ।ଏହି ଖବର ଏକ ଇଂରାଜୀ ସମ୍ବାଦପତ୍ରରେ ପ୍ରକାଶ ପାଇଛି । ଯଦି ଏହି ଘଟଣାଟି ସତ୍ୟ ହୋଇଥାଏ ତେବେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବା ଦରକାର । ଯଦି ଏହା ମିଛ ହୋଇଥାଏ ତେବେ ସଂପୃକ୍ତ ଖବରକାଗଜ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ।

ଏହି ମାମଲାରେ ପୋଲିସ, ପ୍ରଶାସନ କେହି ପୀଡିତା ଓ ତାଙ୍କ ପରିବାର କଥା ଶୁଣିଲେ ନାହିଁ । ଏହି ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଏବଂ ବିଜେଡି ଏସସି ସେଲର ଅଧ୍ୟକ୍ଷ ବିଷ୍ଣୁଚରଣ ଦାସ କହିଛନ୍ତି ଯେ ଝିଅର ଶବକୁ ମଧ୍ୟ ମଶାଣୀରେ ସକ୍ରାର କରିବାକୁ ଦିଆଗଲା ନାହିଁ । ଏହା ସଭ୍ୟ ସମାଜ ପ୍ରତି ଅପମାନ । ଶ୍ରୀ ମିଶ୍ର କହିଛନ୍ତି ଯେ ଏହି କଥା ଶାସକ ଦଳର ବିଧାୟକ କହିଛନ୍ତି । ତେବେ ସେ କଣ ରାଜନୀତି କରୁ ନାହାନ୍ତି ।