+୩ ମହିଳା ମହାବିଦ୍ୟାଳୟରେ ଜମି ଦୁର୍ନୀତି

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାର ମହିଳା ଶିକ୍ଷାର୍ଥୀଙ୍କ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅନେକ ବ୍ୟକ୍ତି ବିଶେଷଙ୍କ ପ୍ରଚେଷ୍ଟା ଫଳରେ ୧୯୯୦ ମସିହାରେ ଏକ ମହିଳା ମହାବିଦ୍ୟାଳୟ ସ୍ଥାପିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ କଳା ବିଭାଗରେ +୨ ଶ୍ରେଣୀ ପାଠ୍ୟକ୍ରମ ଆରମ୍ଭ କରାଯାଇଥିବାବେଳେ ୯୩/୯୪ ଶିକ୍ଷା ବର୍ଷରେ +୩ ଶ୍ରେଣୀ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ମାତ୍ର ୨୦୦୦ ମସିହାରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ +୩ ଶ୍ରେଣୀ ପାଠ୍ୟକ୍ରମକୁ ମଞ୍ଜୁରୀ ମିଳିଥିଲା। ତେବେ ଉକ୍ତ ମହାବିଦ୍ୟାଳୟର କର୍ତୃପକ୍ଷ ଏବଂ କେତେକ କର୍ମଚାରୀଙ୍କ ଅସାଧୁ ମନୋଭାବ ଏବଂ ପରିବାରବାଦ ଚିନ୍ତାଧାରା ପାଇଁ ଉକ୍ତ ମହାବିଦ୍ୟାଳୟରେ ଦୁର୍ନୀତି ଚରମ ସୀମାରେ ପହଂଚିଛି।

ଆରଟିଆଇରୁ ମିଳିଥିବା ଏକ ତଥ୍ୟ ଅନୁଯାୟୀ, +୩ ମହିଳା ମହାବିଦ୍ୟାଳୟର ଜମିକୁ କଲେଜ କର୍ତୃପକ୍ଷ ବିକ୍ରି କରିଦେଇଥିବା ଭଳି ଗୁରୁତର ଘଟଣା ପଦାକୁ ଆସିଛି। +୩ ମହିଳା ମହାବିଦ୍ୟାଳୟକୁ ସରକାରଙ୍କ ପକ୍ଷରୁ ଗ୍ରାଣ୍ଟିନେଡ଼ ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ନିକଟରେ ଦରଖାସ୍ତ କରାଯାଇଥିଲା। ବିଭାଗ ପକ୍ଷରୁ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଅନୁଷ୍ଠାନର ନିଜସ୍ୱ ଜମିର ତଥ୍ୟ ଏବଂ ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ ପାଇଁ କୁହାଯାଇଥିଲା। ତେବେ ସରକାରୀ ଅର୍ଥ ହଡ଼ପ ଉଦ୍ଦେଶ୍ୟରେ କଲେଜ କର୍ତୃପକ୍ଷ ଚଂଚକତା ପୂର୍ବକ ଉଚ୍ଚଶିକ୍ଷା ବିଭାଗକୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିବା ସହ ଉକ୍ତ ଅନୁଷ୍ଠାନର ନିଜସ୍ୱ ଜମିର ପଟ୍ଟା ଓ କାଗଜ ପତ୍ର ପ୍ରଦାନ କରିଥିଲେ। ଫଳରେ ୨୦୧୬ ମସିହାରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦେବଗଡ଼ +୩ ମହିଳା ମହାବିଦ୍ୟାଳୟକୁ ଗ୍ରାଣ୍ଟିନେଡ଼ ପ୍ରଦାନ କରାଯାଇଥିଲା। ସରକାରଙ୍କଠାରୁ ଗ୍ରାଣ୍ଟିନେଡ଼ ମିଳିବା ପରେ ଅନୁଷ୍ଠାନର କର୍ତୃପକ୍ଷ ଚଂଚକତା ପୂର୍ବକ ଅନୁଷ୍ଠାନର ଜମିକୁ ୨୦୧୭ ମସିହାରେ ରାମକୃଷ୍ଣ ଯାଦବ ନାମକ ଜଣେ ବ୍ୟକ୍ତିକୁ ବିକ୍ରି କରି ଦେଇଥିଲାଲେ। ଫଳରେ ବର୍ତ୍ତମାନ ଉକ୍ତ ଅନୁଷ୍ଠାନର ନିଜସ୍ୱ ଜମି ନ ଥିବାବେଳେ ସରକାରଙ୍କ ଆଖିରେ ଧୂଳି ଦେଇ ଅନୁଷ୍ଠାନର କର୍ତୃପକ୍ଷ ସମସ୍ତ ସରକାରୀ ନୀତି ନିୟମକୁ ଉଲ୍ଲଂଘନ କରି ଗ୍ରାଣ୍ଟିନେଡ଼କୁ ହାତେଇ ଚାଲିଥିବାବେଳେ ବିକ୍ରି ହୋଇଥିବା ଅନୁଷ୍ଠାନ ଜମିର ଟଙ୍କା କୁଆଡ଼େ ଗଲା ତାହା ତଦନ୍ତ ସାପେକ୍ଷ।

ସେହିପରି ଶିକ୍ଷାର୍ଥୀଙ୍କୁ ଉନ୍ନତମାନର ଗୁଣାତ୍ମକ ଶିକ୍ଷାଦାନ ପାଇଁ ଖୋଲାଯାଇଥିବା ଏହି ମହିଳା ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତିରେ ମଧ୍ୟ ଘୋର ଜାଲିଆତି କରାଯାଇଥିବା ଆରଟିଆଇ ତଥ୍ୟରୁ ସୂଚନା ମିଳିଛି। ଅନୁଷ୍ଠାନର ଅଧ୍ୟକ୍ଷା ତନ୍ମୟୀ ମହାନ୍ତି ଉକ୍ତ +୩ ମହିଳା ମହାବିଦ୍ୟାଳୟରେ ଇଂରାଜୀ ଶିକ୍ଷାଦାନ ପାଇଁ ନିଜ ସ୍ୱାମୀ ସୁନିଲ କୁମାର ଦାଶଙ୍କୁ ଅଧ୍ୟାପକ ଭାବେ ନିଯୁକ୍ତି ଦେଇଛନ୍ତି। ପ୍ରାପ୍ତ ସୂଚନାରୁ ଇଂରାଜୀ ଅଧ୍ୟାପକ ଶ୍ରୀ ଦାଶଙ୍କର ପଦବୀ ପାଇଁ ଯୋଗ୍ୟତା ନ ଥିବାବେଳେ ନୀତି ନିୟମକୁ ଉଲ୍ଲଂଘନ କରି ଶ୍ରୀ ଦାଶଙ୍କୁ ନିଯୁକ୍ତି ପୂର୍ବରୁ ଏକ୍ସପର୍ଟ ଏଡଭାଇଜର ଭାବେ ଦେବଗଡ଼ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଶରତ ଚନ୍ଦ୍ର ମେହେରଙ୍କ ଜାଲ ଦସ୍ତଖତ ବଳରେ ନିଯୁକ୍ତି ଦେଇଥିବା ଜଣାପଡ଼ିଛି। ତେବେ ଯୋଗ୍ୟତା ନଥିବା ଅଧ୍ୟାପକ ଶିକ୍ଷାର୍ଥୀଙ୍କୁ କେଉଁ ମାନର ଶିକ୍ଷାଦାନ କରୁଥିବେ ତାହା ସନ୍ଦେହ ଅନୁମେୟ। ଦେଖିବାକୁ ଗଲେ ବର୍ତ୍ତମାନ ପରିସ୍ଥିତିରେ +୩ ମହିଳା ମହାବିଦ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟିଛି। ଏଭଳି ସ୍ଥିତିରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ +୩ ମହିଳା ମହାବିଦ୍ୟାଳୟରେ ଯାଞ୍ଚ କରିବା ସହ ଭିଜିଲାନ୍ସ ବିଭାଗ ଏହାର ତଦନ୍ତ କରି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ଅନ୍ୟପଟେ ଆରଟିଆଇରୁ ମିଳିଥିବା ତଥ୍ୟ ଅନୁଯାୟୀ +୩ ମହିଳା ମହାବିଦ୍ୟାଳୟରେ ଦେଖା ଦେଇଥିବା ଅନୀୟମିତତା ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷା ତନ୍ମୟୀ ମହାନ୍ତିଙ୍କ ମତାମତ ଲୋଡ଼ିବାରୁ ଅଧ୍ୟକ୍ଷା କିଛି କହିବାକୁ ରୋକଠୋକ ମନା କରି ଦେଇଥିଲେ। ଅନ୍ୟପଟେ ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ଇଂରାଜୀ ଅଧ୍ୟାପକ ସୁନିଲ କୁମାର ଦାଶ ଉତ୍ତେଜିତ ହୋଇ ପଡ଼ିଥିଲେ।