ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କୁ ସିବିଆଇ ସ୍ୱତନ୍ତ୍ର କୋର୍ଟ ଡୋରଣ୍ଡା ଟ୍ରେଜେରୀରୁ ୧୩୯.୫ କୋଟି ଟଙ୍କା ଅବୈଧ କାଢ଼ିବା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଚାରା ଘୋଟାଲା ସହ ଜଡ଼ିତ ଏହା ୫ମ ମାମଲା । ଲାଲୁଙ୍କ ବ୍ୟତୀତ ୭୪ ଅନ୍ୟ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅନ୍ୟପଟେ ୨୪ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଖଲାସ କରି ଦିଆଯାଇଛି । ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବ ସାଂସଦ ଜଗଦୀଶ ଶର୍ମା ଓ ବିହାରର ଲୋକ ଲେଖା ସମିତିର ତତ୍କାଳୀନ ଅଧ୍ୟକ୍ଷ ଧ୍ରୁବ ଭଗତ ମଧ୍ୟ ସାମିଲ ଅଛନ୍ତି । ଲାଲୁ ପ୍ରସାଦ ଯାଦବଙ୍କ ସଜାକୁ ନେଇ ଫେବୃଆରୀ ୨୧ରେ ଶୁଣାଣୀ ହେବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଏହାପୂର୍ବରୁ ଚାରା ଘୋଟାଲାର ୪ଟି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ କୋର୍ଟ ମୋଟ ୨୭ ବର୍ଷ ସଜା ଶୁଣାଇଛନ୍ତି । ଏଥିସହିତ ୧ କୋଟି ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି ।