ଲଖନପୁର ବ୍ଲକ ବିଭାଜନ ଦାବିରେ ଗଣଧାରଣା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକକୁ ୩ଟି ବ୍ଲକରେ ବିଭାଜନ ଓ ଲଖନପୁର ତହସିଲ ଅଞ୍ଚଳକୁ ସବଡିଭିଜନ ମାନ୍ୟତା ଦାବିରେ ଆଜି ଲଖନପୁର ନାଗରିକ ପରିଷଦ ପକ୍ଷରୁ ଧାରଣା ଦିଆଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇଥିବା ଏହି ଧାରଣାକୁ ଲଖନପୁର ବ୍ଲକର ବିଭିନ୍ନ ସଙ୍ଗଠନ, ନେତୃ ମଣ୍ଡଳୀ ଓ ସ୍ଥାନୀୟଲୋକେ ସମର୍ଥନ ଜଣାଇଛନ୍ତି। ସେମାନେ କହିଛନ୍ତି ଲଖନପୁର ବ୍ଲକ ଆୟତନ ଓ ଜନସଂଖ୍ୟା ଦୃଷ୍ଟିରୁ ରାଜ୍ୟର ଦ୍ୱିତୀୟ ବୃହତମ ବ୍ଲକ ଭାବରେ ପରିଚିତ। ହେଲେ ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ, ପାନୀୟଜଳ, କୃଷି ଆଦି ବିଭିନ୍ନ ସମସ୍ୟା ରହିଛି। ଏହାସହ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଲୋକମାନଙ୍କ ପାଖକୁ ଠିକ ଭାବରେ ପହଞ୍ଚିି ପାରୁନାହିଁ।

ସରକାରୀ ଯୋଜନା ଗୁଡ଼ିକର ସୁବିନିଯୋଗ ଓ ସୁପରିଚାଳନା ହୋଇପାରୁ ନଥିବାରୁ ବିକାଶ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ତେଣୁ ପ୍ରଶାସନକୁ ଲୋକମାନଙ୍କର ନିକଟତର କରି ଅଞ୍ଚଳର ବିକାଶ ପାଇଁ ୩୩ଟି ପଞ୍ଚାୟତ ବିଶିଷ୍ଟ ରାଜ୍ୟର ଏହି ଦ୍ୱିତୀୟ ବୃହତମ ବ୍ଲକକୁ ବିଭାଜନ କରି ୩ଟି ବ୍ଲକ କରାଯାଉ ଏବଂ ଲଖନପୁର ତହସିଲ ଅଞ୍ଚଳକୁ ସବଡିଭିଜନର ମାନ୍ୟତା ପ୍ରଦାନ କରାଯାଉ ବୋଲି ସଚେତନ ନାଗରିକ ପରିଷଦ ପକ୍ଷରୁ କୁହାଯାଇଛି। ଏହାସହ ନାଗରିକ ପରିଷଦ ପକ୍ଷରୁ ଏକ ର୍ୟାାଲି କରି ଜିଲ୍ଲାପାଳଙ୍କୁ ଲଖନପୁର ବ୍ଲିକ ବିଭାଜନ ଓ ସବଡିଭିଜନ ମାନ୍ୟତା ପ୍ରଦାନ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ନାଗରିକ ପରିଷଦର ସଂଯୋଜକ ପିତାମ୍ବର ମିଶ୍ର, ବିରଞ୍ଚି ସାହୁ, ସାଲେଗ୍ରାମ ନାଏକ, ଭୋନାଥ ବଢ଼େଇ, ଗୋପୀନାଥ ମାଝୀ, ରଘୁନନ୍ଦନ ପଣ୍ଡା, ଗୌତମ ପ୍ରଧାନ ପ୍ରମୁଖଙ୍କସହ ଲଖନପୁର ବ୍ଲକର ଜନସାଧାରଣ ଉପସ୍ଥିତ ଥିଲେ।