ଜିଲ୍ଲାର ସମସ୍ତ ସମବାୟ ସମିତିରେ ପଡ଼ିଲା ତାଲା : ନିଲମ୍ବିତ ୩ ସମ୍ପାଦକଙ୍କ ପୁନଃନିଯୁକ୍ତି ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ସମବାୟ ସମିତିର ସମ୍ପାଦକମାନେ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ସେମାନେ ଦୁର୍ଲଗା ସମବାୟ ସମିତି ଆଗରେ ଧାରଣାରେ ବସି ସରକାରଙ୍କ ପକ୍ଷରୁ ନିକଟରେ ନିଲମ୍ବିତ କରାଯାଇଥିବା ଜିଲ୍ଲାର ୩ଜଣ ସମବାୟ ସମିତିର ସମ୍ପାଦକଙ୍କୁ ପୁନଃନିଯୁକ୍ତି ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି। ଏହି ଦାବି ପୂରଣ ନହେବା ଯାଏଁ ଜିଲ୍ଲାର ୩୨ଟି ପ୍ୟାକ୍ସର ସମ୍ପାଦକମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି କହିଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ପାଦକମାନଙ୍କ କୌଣସି ଭୁଲ ନଥିବା ସତ୍ୱେ ଟୋକନ ଅନଲାଇନ ଆବେଦନରେ ତ୍ରୁଟି ତଥା ଚାଷ ହୋଇନଥିବା ଜମିର ଟୋକନ ପାଇଁ ରେଜିଷ୍ଟ୍ରେସନ କରାଇଥିବା ଅଭିଯୋଗରେ ସରକାର ତଥା ପ୍ରଶାସନ ପକ୍ଷରୁ ଝାରସୁଗୁଡ଼ାର ୩ଟି ପ୍ୟାକ୍ସ ଅତାବିରା, ସମରବଗା ଓ ଲଖନପୁରର ସମ୍ପାଦକଙ୍କୁ ନିଲମ୍ବିତ କରାଯାଇଛି। ତେବେ ଟୋକନ ଆବେଦନ ସମୟରେ ଅନଲାଇନରେ ତ୍ରୁଟି ତଥା ଚାଷୀ ଚାଷ କରିବା ପାଇଁ କରିଥିବା ଜମି ରେଜିଷ୍ଟ୍ରେସନର ଦୋଷ ସମ୍ପାଦକଙ୍କ ମୁଣ୍ଡରେ ଲଦି ଦେଇ ଉଚ୍ଚସ୍ତରୀୟ ଅଧିକାରୀମାନେ ହାତ ଟେକି ଦେଇଛନ୍ତି। ଫଳରେ ନିଜର କର୍ତ୍ତବ୍ୟକୁ ସଠିକ ଭାବରେ ପରିଚାଳନା କରୁଥିବା ସମ୍ପାଦକଙ୍କ କୌଣସି ଦୋଷ ନଥାଇ ମଧ୍ୟ ସେମାନେ ଦୋଷୀ ସାଜିଛନ୍ତି ଏବଂ ସରାକାରଙ୍କ ପକ୍ଷରୁ ନିଲମ୍ବିତ ହୋଇଛନ୍ତି। ତେଣୁ ସରକାର ଏହି ଟୋକନ ସମସ୍ୟା ତଥା ଜମି ରେଜିଷ୍ଟ୍ରେସନର ତଦାରଖରେ ସାମିଲ ଥିବା ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ନିଲମ୍ବିତ କରିଥିବା ସମ୍ପାଦକଙ୍କୁ ପୁନଃନିଯୁକ୍ତି ପ୍ରଦାନ କରନ୍ତୁ ବୋଲି ସମ୍ପାଦକମାନେ ଦାବି କରିଛନ୍ତି। ସେମାନଙ୍କ ଦାବି ପୂରଣ ନହେବା ଯାଏଁ ଜିଲ୍ଲାର ୩୨ଟି ପ୍ୟାକ୍ସର ସମ୍ପାଦକ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି।