କରୋନା ପ୍ରତି ସଚେତନତା ଅଭାବ, ଶନି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି

ଦେବଗଡ଼,ଏନ୍ଏନ୍ଏସ୍: ଦେଶରେ ସମ୍ଭାବ୍ୟ କରୋନା ସଂକ୍ରମଣ ଆଶଙ୍କା କରି ଜନ ଗହଳିକୁ ରୋକିବା ପାଇଁ ସରକାରୀ ସ୍ତରରେ ବ୍ୟାପକ ସଚେତନ କରାଯାଉଥିବା ବେଳେ ଏଥିରେ ଅବହେଳା ଦେଖାଦେଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ଶନି ମନ୍ଦିର ଠାରେ। ପରେ ସେଠାରେ ପୁଲିସ ପ୍ରଶାସନ ପହଞ୍ଚି ମନ୍ଦିରକୁ ଖାଲି କରିଥିଲେ।

ସୂଚନା ଅନୁସାରେ ଆସନ୍ତା ଏପ୍ରିଲ ୧ ତାରିଖ ପର୍ୟ୍ୟନ୍ତ ରାଜ୍ୟର ସମସ୍ତ ଜନଗହଳି ପୂର୍ଣ୍ଣ ସ୍ଥାନ ଯଥା ସିନେମା ହଲ, ଧର୍ମାନୁଷ୍ଠାନ, ମାର୍କେଟ, ସପିଂମଲ, ସ୍କୁଲ କଲେଜ ପ୍ରଭୃତିକୁ ବନ୍ଦ କରାଯାଇଥିବାବେଳେ ପୁଣି ଏଥିରେ ଅବହେଳା ହେଉଥିବା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ଦେବଗଡ଼ ଅଞ୍ଚଳରେ ଏକ ଶନି ମନ୍ଦିରରେ ଭକ୍ତମାନେ ଭିଡ ଜମାଇଥିବା ଦେଖାଯାଇଛି। ଆଜି ଶନିବାର ଥିବାରୁ ସକାଳୁ ଶନି ମନ୍ଦିର ରେ ପ୍ରବଳ ଜନ ଗହଳି ହୋଈ ମନ୍ଦିର ରେ ଦର୍ଶନ ଓ ପୂଜା ପାଇଁ ଲମ୍ବା ଲାଇନ ଲାଗିଥିଲା। ମନ୍ଦିରର ପୂଜକ ମଧ୍ୟ ପୂଜା ଆରମ୍ଭ କରିଥିଲେ।

ତେବେ ମନ୍ଦିରରେ ଜନ ସମାଗମକୁ ଦେଖି କେହି ଜଣେ ସଚେତନ ନାଗରିକ ଦେବଗଡ଼ ଥାନା ଓ ଜିଲ୍ଲା ପ୍ରଶାସନଙ୍କ ନିକଟରେ ସୂଚନା ଦେବାପରେ ଦେବଗଡ଼ ଥାନା ପୁଲିସ ମାଜିଷ୍ଟ୍ରେଟ କୈବଲ୍ୟ କରଙ୍କ ସହ ଶନି ମନ୍ଦିରକୁ ପହଞ୍ଚି ମନ୍ଦିରକୁ ଖାଲି କରାଯାଇଥିଲା। ସମ୍ଭାବ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ନାନା ପଦକ୍ଷେପ ନେଉଥିବା ବେଳେ ସାଧାରଣରେ ଚେତା ପଶୁନାହିିଁ।