କେନ୍ଦୁଝର, ଏନ୍ଏନ୍ଏସ୍ : ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପରିଚାଳିତ କୁସୁମିତା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ରାତ୍ରୀଭୋଜନ ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୯ ଛାତ୍ରୀ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ମଙ୍ଗଳବାର ପ୍ରଥମେ ୬ଜଣ ଛାତ୍ରୀଙ୍କୁ ଝାଡ଼ାବାନ୍ତି ହେବାରୁ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ପୁଣି ୩ଜଣ ଛାତ୍ରୀଙ୍କ ଝାଡ଼ାବାନ୍ତି ହେବାରୁ ସେମାନଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରୁ ୬ଷ୍ଠ ଶ୍ରେଣୀର ଛାତ୍ରୀ ରଜନୀ ସୋରେନ(୧୨),ନବମ ଶ୍ରେଣୀ ଛାତ୍ରୀ ସୁମିତା ମାଝୀ(୧୪), ନବମ ଶ୍ରେଣୀ ଛାତ୍ରୀ ସ୍ୱର୍ଣ୍ଣଲତା ନାୟକ (୧୫), ସପ୍ତମ ଶ୍ରେଣୀ ଛାତ୍ରୀ ଜସ୍ମି ମାଝୀ (୧୩) ଶିଶୁ ୱାର୍ଡରେ ଚିକିତ୍ସାଧୀନ ଥିବାବେଳେ ସଂକ୍ରାମକ ୱାର୍ଡରେ ଗୁରୁତର ଅବସ୍ଥାରେ ନବମ ଶ୍ରେଣୀ ଛାତ୍ରୀ ଅଞ୍ଜଳୀ ଦେହୁରୀ (୧୪), ସପ୍ତମ ଶ୍ରେଣୀ ଛାତ୍ରୀ ରଶ୍ମୀ ମୁଣ୍ଡା(୧୩), ନବମ ଶ୍ରେଣୀ ଛାତ୍ରୀ ଚନ୍ଦ୍ରିକା ପାତ୍ର(୧୪) ଚିକିତ୍ସାଧୀନ ଅଛନ୍ତି।
ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଶାନ୍ତି ଦେହୁରୀ(୧୬) ଏବଂ ନବମ ଶ୍ରେଣୀ ଛାତ୍ରୀ ଦୁଃଖିନୀ ମୁଣ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସେମାନଙ୍କୁ ହଷ୍ଟେଲ ପଠାଇ ଦିଆଯାଇଛି। ଚିକିତ୍ସାଧୀନ ଛାତ୍ରୀଙ୍କ ଅବସ୍ଥା ଭଲ ଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅଜୟ କୁମାର ମହାନ୍ତି ସୂଚନା ଦେଇଛନ୍ତି। କୁସୁମିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୬ ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଯାଉଥିବାବେଳେ ଏଠାରେ ୧୧୦ଜଣିଆ ଆଦିବାସୀ ଛାତ୍ରୀ ନିବାସକୁ ମିଶାଇ ୩୭୧ଜଣ ଛାତ୍ରୀ ହଷ୍ଟେଲରେ ରହୁଥିବାବେଳେ ଏଠାରେ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ହେଉଛି। ଅନ୍ତେବାସୀଙ୍କୁ ଅନେକ ସମୟରେ ବାସି ଖାଦ୍ୟ ଏବଂ ଦୂଷିତ ଜଳ ଦିଆଯିବା କାରଣରୁ ଛାତ୍ରୀଙ୍କୁ ଝାଡାବାନ୍ତି ହୋଇଥିବା ଅଭିଭାବକମାନେ ଆଶଙ୍କା କରୁଛନ୍ତି। ଗୁରୁବାର ଦିନ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଟିମ୍ ବିଦ୍ୟାଳୟକୁ ଯାଇ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡ଼ିଛି।