ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ କୃଷି ଓଡିଶା-୨୦୨୧ ଉଦଘାଟିତ

ସଇଁନ୍ତଳା,ଏନ୍ଏନ୍ଏସ୍: ସ୍ଥାନୀୟ କୃଷି ବିଭାଗ ପରିସରରେ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ କୃଷି ଓଡ଼ିଶା-୨୦୨୧ ଉଦାଘାଟିତ ହୋଇଯାଇଛି। ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏହି ମହୋତ୍ସବକୁ ଉଦଘାଟନ କରିଛନ୍ତି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇ ପ୍ରାୟ ୧୦୦ ଜଣ ଚାଷୀଙ୍କୁ ପାଠଶାଳା କାର୍ଯ୍ୟକ୍ରମରେ ସାମିଲ କରିବା ସହିତ ଫୁଲଚାଷ ଓ ମତ୍ସ୍ୟପାଳନର ନୂତନ ଜ୍ଞାନକୌଶଳ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳର ଚାଷୀମାନେ ରାଜ୍ୟସ୍ତରୀୟ ଓ ଜାତୀୟସ୍ତରୀୟ କୃଷି ବୈଜ୍ଞାନିକ ତଥା କୃଷି ଉଦ୍ୟୋଗୀମାନଙ୍କ ସୁଚିନ୍ତିତ ମତାମତ ଜାଣିବାକୁ ପାଇଥିଲେ।

ଏହି କୃଷି ମହୋତ୍ସବରେ କୃଷି ବିଭାଗ, ଇଫକୋ, ଆଇସିଏଆରଡିଏ, ମିଲେଟ ମିଶନ, ଉଦ୍ୟାନ କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିଭାଗ, ପ୍ରାଣୀ ସଂପଦ ବିଭାଗ, ମତ୍ସ୍ୟ ସଂପଦ ବିଭାଗ ଓ କୃଷି ଯନ୍ତ୍ରପାତିର ୧୦ଟି ଷ୍ଟଲ ପ୍ରଦର୍ଶନ କରାଯାଇଥିଲା। ବଲାଙ୍ଗିରର ୫ ଜଣ ଆଗୁଆ ଚାଷୀଙ୍କୁ ରାଜ୍ୟସ୍ତରରେ ପୁରସ୍କୃତ କରାଯିବା ପାଇଁ ମନୋନୀତ କରାଯାଇଥିବା ବେଳେ ଲୋଇସିଂହା ବ୍ଲକ ମାଗୁରବେଡା ଗ୍ରାମର ଚାଷୀ ପ୍ରଦ୍ୟୁମ୍ନ ତେଜିଙ୍କୁ ଆଜି ରାଜ୍ୟସ୍ତରରେ ପୁରସ୍କୃତ କରାଯାଇଛି। ଏହି ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ଦିଆଯାଇଛି।