ଦିଲ୍ଲୀ ୟୁନିଭର୍ସିଟି ଛାତ୍ର ସଂଘ କରିବ ‘ନିଶାମୁକ୍ତ ଭାରତ’ର ଶୁଭାରମ୍ଭ

ନୂଆଦିଲ୍ଲୀ: ଦେଶର ଯୁବପୀଢ଼ୀଙ୍କ ମଧ୍ୟରେ ବଢ଼ୁଥିବା ନିଶାଖୋର ମନୋଭାବକୁ ରୋକିବା ପାଇଁ ଦିଲ୍ଲୀ ୟୁନିଭର୍ସିଟି ଏକ ବଡ଼ ପ୍ରୟାସ ଆରମ୍ଭ କରିବାକୁ ଯାଉଛି। ଦିଲ୍ଲୀ ୟୁନିଭର୍ସିଟି ଛାତ୍ରସଂଘ ନିଶାମୁକ୍ତ ଭାରତ ଗଢ଼ିବା ସହ ଏହାର ଦୁଷ୍ପରିଣାମ ସମ୍ପର୍କରେ ଆଲୋଚନା କରିବ। ଛାତ୍ର ସଂଘ ଦେଶର ଯୁବକଙ୍କୁ ‘ଡ୍ରଗ୍ସମୁକ୍ତ, ପ୍ରାକୃତିକ ଏବଂ ସୁସ୍ଥ ଭାରତ’ ନିର୍ମାଣ କରିବାକୁ ଆହ୍ୱାନ ଦେଇଛନ୍ତି।

ବଲିଉଡରେ ଡ୍ରଗ୍ସ ସେବନକୁ ନେଇ ଯେଉଁଭଳି ଘଟଣା ସାମ୍ନାକୁ ଆସୁଛି ତାହା ଦେଶର ଯୁବପୀଢ଼ୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ। ଡ୍ରଗ୍ସ ଦ୍ୱାରା କିପରି ସମାଜ ଓ ପରିବାରକୁ ନର୍କମୁହାଁ କରାଯାଉଛି ତାହା ଦିଲ୍ଲୀ ୟୁନିଭର୍ସିଟି ଛାତ୍ର ସଂଘ ପକ୍ଷରୁ ଯୁବପୀଢ଼ୀଙ୍କୁ ବୁଝାଇବାକୁ ପ୍ରୟାସ କରାଯିବ।

ଦିଲ୍ଲୀ ୟୁନିଭର୍ସିଟି ଛାତ୍ରସଂଘ ଅଧ୍ୟକ୍ଷ ଅକ୍ଷିତ ଦହିଆ କହିଛନ୍ତି ଯେ, ‘ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଯାଞ୍ଚ ସମୟରେ ସିନେମା ଜଗତ ଓ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ସମ୍ବନ୍ଧ ଥିବା ଜଣାପଡ଼ିଛି। ଡ୍ରଗ୍ସ ମାମଲାରେ ଫିଲ୍ମ ଜଗତର ଲିଙ୍କକୁ ଯାଞ୍ଚ କରାଯିବା ଦରକାର। ଦୋଷୀଙ୍କୁ ଦଣ୍ଡ ସହ ଯୁବପୀଢ଼ୀଙ୍କୁ ଡ୍ରଗ୍ସ ସମସ୍ୟା ଉପରେ ସଚେତନ କରାଯିବା ଉଚିତ।’