କୋରିଆ ଓପନ୍‌: ସେମିରେ ହାରିଲେ ସିନ୍ଧୁ ଓ ଶ୍ରୀକାନ୍ତ

ନୂଆଦିଲ୍ଲୀ,ଏଜେନ୍ସି: ସାଉଥ୍ କୋରିଆର ସୁନ୍‌ଚେଓନ୍‌ରେ ଚାଲିଥିବା କୋରିଆ ଓପନ୍ ସୁପର୍ ୫୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ରେ ଶନିବାର ପିଭି ସିନ୍ଧୁ ଓ କିଦାମ୍ବୀ ଶ୍ରୀକାନ୍ତଙ୍କ ବିଜୟ ରଥରେ ବ୍ରେକ୍ ଲାଗିଛି। ଉଭୟ ନିଜ ନିଜର ସିଙ୍ଗଲ୍ସ ସେମିଫାଇନାଲ୍‌ରେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଛି। ମହିଳା ସିଙ୍ଗଲ୍ସ ସେମିରେ ୨୦ ବର୍ଷୀୟା ଆନ୍ ସେୟୋଙ୍ଗ୍ ମାତ୍ର ୪୮ ମିନିଟ୍ ମଧ୍ୟରେ ପୂର୍ବତନ ବିଶ୍ୱ ଚାମ୍ପିଅନ୍ ସିନ୍ଧୁଙ୍କୁ ୨୧-୧୪, ୨୧-୧୭ ସିଧା ଗେମ୍‌ରେ ହରାଇ ଦେଇଥିଲେ। ଏହା ସିନ୍ଧୁଙ୍କ ବିପକ୍ଷରେ ଆନ୍‌ଙ୍କର କ୍ରମାଗତ ଚତୁର୍ଥ ବିଜୟ।

ସେହିପରି ବିଶ୍ୱ ଚାମ୍ପିଅନ୍‌ଶିପ୍ ରୌପ୍ୟ ବିଜେତା ଶ୍ରୀକାନ୍ତଙ୍କ ବିଜୟରଥକୁ ଏସିଆନ୍ ଗେମ୍ସ ଚାମ୍ପିଅନ୍ ଇଣ୍ଡୋନେସିଆର ଜୋନାଟନ୍ କ୍ରିଷ୍ଟି ରୋକିଥିଲେ। ୫୦ ମିନିଟ୍‌ର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ୍‌ରେ କ୍ରିଷ୍ଟି ୨୧-୧୯, ୨୧-୧୬ ସିଧା ଗେମ୍‌ରେ ଶ୍ରୀକାନ୍ତଙ୍କୁ ହରାଇ ଦେଇଛନ୍ତି। ଏହା ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଆଠଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଉଭୟ ଚାରିଟି ଲେଖାଏଁ ମ୍ୟାଚ୍ ଜିତିଥିଲେ।