ମୁମ୍ବାଇ,ଏଜେନ୍ସି: ଚଳିତ ଆଇପିଏଲ୍ରେ ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୮ ୱିକେଟ୍ରେ ପରାସ୍ତ କରିଛି। ଏଥିସହ ଦଳ ସଂସ୍କରଣରେ ତା’ର ପ୍ରଥମ ପଏଣ୍ଟ୍ ଅର୍ଜନ କରିଛି। ତୃତୀୟ ମ୍ୟାଚ୍ରେ ପ୍ରଥମ ବିଜୟ ସହ ହାଇଦ୍ରାବାଦ ପଏଣ୍ଟ୍ ଟେବଲ୍ରେ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ଚେନ୍ନାଇ କ୍ରମାଗତ ଚତୁର୍ଥ ପରାଜୟ ବରଣ କରିଛି। ପ୍ରଥମେ ବ୍ୟାଟିଂ ପାଇ ଚେନ୍ନାଇ ୭ ୱିକେଟ୍ ବିନିମୟରେ ୧୫୪ ରନ୍ କରିଥିବା ବେଳେ ଜବାବରେ ହାଇଦ୍ରାବାଦ ମାତ୍ର ୨ଟି ୱିକେଟ୍ ହରାଇ ୧୭,୪ ଓଭର୍ରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଓପନର ଅଭିଷେକ ଶର୍ମା ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।
ଚେନ୍ନାଇ ଦଳୀୟ ସ୍କୋର୍ ୩୬ରେ ପହଞ୍ଚିବା ବେଳକୁ ଦୁଇ ଓପନରଙ୍କୁ ହରାଇ ସାରିଥିଲା। ପ୍ରଥମେ ରବିନ୍ ଉଥାପ୍ପା ୧୫ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ପଛେ ପଛେ ଅନ୍ୟତମ ଓପନର ଋତୁରାଜ ଗାଏକ୍ୱାଡ୍ ୩ଟି ଚୌକା ସହ ୧୬ ରନ୍ କରି ବିଦାୟ ନେଇଥିଲେ। ଏହି ସମୟରେ ମୋଇନ୍ ଅଲୀ ଓ ଅମ୍ବାତି ରାୟୁଡୁ ତୃତୀୟ ୱିକେଟ୍ରେ ୬୨ ରନ୍ ଯୋଡ଼ି ସ୍ଥିତି ସୁଧାରିବାକୁ ଉଦ୍ୟମ କରିଥିଲେ। ୪ଟି ଚୌକା ସହ ରାୟୁଡୁ ୨୭ ରନ୍ କରି ଆଉଟ୍ ହେବା ଫଳରେ ଏହି ଭାଗୀଦାରୀରେ ବ୍ରେକ୍ ଲାଗିଥିଲା। ପରେ ମୋଇନ୍ ମଧ୍ୟ ୩ଟି ଚୌକା ଓ ୨ଟି ଛକା ସହାୟତାରେ ୪୮ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ଏହାପରେ ଅଧିନାୟକ ରବୀନ୍ଦ୍ର ଜାଡେଜା ୧୫ଟି ବଲ୍ରେ ୨ଟି ଚୌକା ଓ ଗୋଟିଏ ଛକା ସହ ୨୩ ରନ୍ କରିଥିଲେ ହେଁ ଅନ୍ୟ କେହି ସହଯୋଗ ଦେଇ ନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିବମ୍ ଦୁବେ ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୩ ରନ୍ ଲେଖାଏଁ କରିଥିବା ବେଳେ ଡ୍ୱେନ୍ ବ୍ରାଭୋ ଓ କ୍ରିସ୍ ଜୋର୍ଡାନ୍ ଯଥାକ୍ରମେ ୮ ଓ ୬ ରନ୍ କର ଅପରାଜିତ ରହିଥିଲେ।
ହାଇଦ୍ରାବାଦ ପକ୍ଷରୁ ୱାଶିଂଟନ୍ ସୁନ୍ଦର ଓ ଟି. ନଟରାଜନ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ବ୍ୟାଟିଂରେ ଦଳ ପାଇଁ ଅଭିଷେକ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ। ସେ ତାଙ୍କ ଓପନିଂ ଯୋଡ଼ିଦାର ତଥା ଅଧିନାୟକ କେନ୍ ୱିଲିୟମ୍ସନ୍ଙ୍କ ସହ ପ୍ରଥମ ୱିକେଟ୍ରେ ୮୯ ରନ୍ ଯୋଡ଼ି ଦଳକୁ ବିଜୟ ଆଡ଼କୁ ଅଗ୍ରସର କରାଇ ନେଇଥିଲେ। ୨ଟି ଚୌକା ଓ ଗୋଟିଏ ଛକା ସହ ୩୨ ରନ୍ କରି ୱିଲିୟମ୍ସନ୍ ଆଉଟ୍ ହେବା ପରେ ଅଭିଷେକ ସାଥୀ ବ୍ୟାଟ୍ସମ୍ୟାନ୍ ରାହୁଲ୍ ତ୍ରିପାଠୀଙ୍କ ସହ ୫୬ ରନ୍ ଯୋଡ଼ିଥିଲେ। ୫୦ ବଲ୍ ଖେଳି ୭୫ ରନ୍ରେ ଆଉଟ୍ ହେବା ପୂର୍ବରୁ ଅଭିଷେକ ୫ଟି ଚୌକା ଓ ୩ଟି ଛକା ଲଗାଇସାରିଥିଲେ। ତ୍ରିପାଠୀ ୧୫ଟି ବଲ୍ରେ ୫ଟି ଚୌକା ଓ ୨ଟି ଛକା ସହ ୩୯ ରନ୍ କରିଥିବା ବେଳେ ତାଙ୍କ ସହ ନିକୋଲାସ୍ ପୂରନ୍ ଗୋଟିଏ ଚୌକା ସହ ୫ ରନ୍ କରି ଅପରାଜିତ ଥିଲେ। ଚେନ୍ନାଇ ପକ୍ଷରୁ ମୁକେଶ ଚୌଧୁରୀ ଓ ବ୍ରାଭୋ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ସଂକ୍ଷିପ୍ତ ସ୍କୋର୍: ଚେନ୍ନାଇ ସୁପର୍ କିଙ୍ଗ୍ସ-୧୫୪/୭, ୨୦ ଓଭର୍ (ମୋଇନ୍ ଅଲୀ-୪୮, ଅମ୍ବାତି ରାୟୁଡୁ-୨୭, ୱାଶିଂଟନ୍ ସୁନ୍ଦର-୨୧/୨, ଟି. ନଟରାଜନ୍-୩୦/୨); ସନ୍ରାଇଜର୍ସ ହାଇଦ୍ରାବାଦ-୧୫୫/୨, ୧୭.୪ ଓଭର୍ (ଅଭିଷେକ ଶର୍ମା-୭୫, ରାହୁଲ୍ ତ୍ରିପାଠୀ-୩୯, ଡ୍ୱେନ୍ ବ୍ରାଭୋ-୨୯/୧, ମୁକେଶ ଚୌଧୁରୀ-୩୦/୧) ।