ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଗକୁ ଉଭୟ ଦଶମ ଏବଂ +୨ ପରୀକ୍ଷା ଆରମ୍ଭ ହେବ। ଉଭୟ ପରୀକ୍ଷାରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି କର୍ତ୍ତୃପକ୍ଷ। ସ୍କୁଲ ଓ ଗଣଶିକ୍ଷା ବିଭାଗ ଏନେଇ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିଛି। ତେବେ ରାଜ୍ୟର ବିଦ୍ୟାଳୟ ଏବଂ ଜୁନିୟର କଲେଜ ପରୀକ୍ଷାକେନ୍ଦ୍ରଗୁଡ଼ିକରେ ସିସି କ୍ୟାମେରା ଲଗାଇବା ବାଧ୍ୟତାମୂଳକ ହୋଇଛି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ଜିରୋ କପି ଜୋନ୍ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଯେଉଁମାନେ ନିୟମକୁ ଅବମାନନା କରିବାକୁ ଉଦ୍ୟମ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇଦିଆଯାଇଛି।
୨ବର୍ଷ ପରେ ଅଫ୍ଲାଇନ୍ରେ ପରୀକ୍ଷା ହେବାକୁ ଥିବା ବେଳେ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ରାଜ୍ୟର ସବୁ ପରୀକ୍ଷା କେନ୍ଦ୍ରକୁ ଜିରୋ କପି ଜୋନ୍ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଏନେଇ ସ୍ୱତନ୍ତ୍ର କମିଟି ଗଠନ କରାଯିବ। ଉଭୟ ମାଟ୍ରିକ ଏବଂ ଦ୍ୱାଦଶ ପରୀକ୍ଷା ଲାଗି ଦୁଇଟି ଭିନ୍ନ କମିଟି ଗଠନ କରାଯିବ। ପରୀକ୍ଷା ପୂର୍ବରୁ ସବୁ ପରୀକ୍ଷାକେନ୍ଦ୍ରକୁ ଯାଞ୍ଚ କରାଯିବା ସହିତ ଏଣିକି ସବୁ ଶ୍ରେଣୀ ଏବଂ ପ୍ରଶ୍ନପତ୍ର ରଖାଯାଉଥିବା କକ୍ଷରେ ସିସି କ୍ୟାମେରା ଲାଗିବ। ବିଭାଗ ପକ୍ଷରୁ ଯେଉଁ କମିଟି ଗଠନ କରାଯିବ ସେଥିରେ ଦଶମ ଶ୍ରେଣୀ ଲାଗି ବୋର୍ଡ କାର୍ଯ୍ୟାଳୟର ୪ଜଣ ଅଧିକାରୀଙ୍କ ସମେତ ୧୩ଜଣ ସଦସ୍ୟ ରହିବେ। ସେହିପରି ଦ୍ୱାଦଶ ପରୀକ୍ଷାକେନ୍ଦ୍ର ଯାଞ୍ଚ ଲାଗି ଯାଞ୍ଚ କମିଟିରେ +୨ପରିଷଦର ଅଧିକାରୀଙ୍କ ସମେତ ସରକାରୀ ଜୁନିୟର କଲେଜର ଅଧ୍ୟକ୍ଷମାନେ ରହିଛନ୍ତି। ରାଜ୍ୟରେ ଶିକ୍ଷାର ବିକାଶ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ସରକାର ଯୋଜନା କରୁଥିବା ବେଳେ ସମସ୍ତ ପରୀକ୍ଷା କେନ୍ଦ୍ରକୁ ଜିରୋ କପି ଜୋନ୍ କରିବାର ପ୍ରୟାସକୁ ସବୁ ସ୍ତରରେ ସ୍ୱାଗତ କରାଯାଇଛି।
ସରକାରୀ, ଘରୋଇ, ଅନୁଦାନପ୍ରାପ୍ତ, ସରକାରୀ ସ୍ୱିକୃତୀପ୍ରାପ୍ତ ସବୁ ସ୍କୁଲ ଓ କଲେଜ ଲାଗି ଏହି ନିୟମ କଡ଼ାକଡ଼ି କରାଯିବ। ସ୍କୁଲ ଲାଗି ୬ଟି ନିୟମକୁ ଗୁରୁତ୍ୱ ଦିଆଯାଇଥିବା ବେଳେ +୨ ପରୀକ୍ଷା ଲାଗି ଜୁନିୟର କଲେଜରେ ୯ଟି ବିଷୟକୁ ଗୁରୁତ୍ୱ ଦିଆଯାଇଛି। ଭିତ୍ତିଭୂମି, ଉଚ୍ଚ ପାଚେରୀ, ସିସି କ୍ୟାମେରା, ମୁଖ୍ୟ ଫାଟକ ଏବଂ ବିଲ୍ଡିଂରେ ସୁରକ୍ଷା, ଅଧିକ ଶିକ୍ଷକ, ଶ୍ରେଣୀରେ ଫ୍ୟାନ୍, ଲାଇଟ୍, ଝରକା କବାଟ ସହ ସବୁ ମୌଳିକ ବ୍ୟବସ୍ଥା ରଖାଯିବ। ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଏଥର ପ୍ରତ୍ୟେକ ଶ୍ରେଣୀରେ ୨୫ରୁ ୩୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଆବଶ୍ୟକସ୍ଥଳେ ଶ୍ରେଣୀରେ ୧୫ଜଣ ପରୀକ୍ଷାର୍ଥୀ ମଧ୍ୟ ପରୀକ୍ଷା ଦେବା ଭଳି ବ୍ୟବସ୍ଥା କରାଯିବ। ମ୍ୟାଟ୍ରିକ ପରୀକ୍ଷାରେ ତ୍ରିସ୍ତରୀୟ ଏବଂ +୨ ପରୀକ୍ଷାରେ ଚତୁଃସ୍ତରୀୟ ଯାଞ୍ଚ ଏବଂ ସ୍କ୍ୱାଡ ଗଠନ କରାଯିବ।
କପି କରି ଧରାପଡି଼ଲେ ପିଲାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଯେଉଁ ସ୍କୁଲରେ କିମ୍ବା କଲେଜରେ କପି ହେଉଥିବା ଜଣାପଡ଼ିବ, ସେହି ଅନୁଷ୍ଠାନର ପ୍ରଧାନଶିକ୍ଷକ କିମ୍ବା ଅଧ୍ୟକ୍ଷଙ୍କୁ ଛଟେଇ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ପରୀକ୍ଷା ଶେଷ ହେବା ପରେ ଉତ୍ତରଖାତା ରଖିବା ଲାଗି କଡ଼ା ସୁରକ୍ଷା ବଳୟ ପ୍ରସ୍ତୁତ କରିବା ସହ ମୂଲ୍ୟାଙ୍କନରେ ଯେପରି ସ୍ୱଚ୍ଛତା ଅବଲମ୍ବନ କରାଯିବ ସେଥିଲାଗି ଗୁରୁତ୍ୱ ଦେବାକୁ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ନିର୍ଦ୍ଦେଶ ଦେଇଛନ୍ତି।