ଗଞ୍ଜେଇ ଚାଲାଣ ମାମଲାରେ ଏସଆଇ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ଚୋରା ଗଞ୍ଜେଇ ଚାଲାଣ ମାମଲାରେ ସହଯୋଗ କରିଥିବା ଜଣେ ପୁଲିସ ଅଧିକାରୀ ଗିରଫ ହୋଇଛନ୍ତି। ପ୍ରକାଶ ଯେ, ଗତ ୨୪ ତାରିଖରେ ସୁନାବେଡା ପୁଲିସ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ପଟ୍ଟାଙ୍ଗି ଥାନା ପୁକାଲି ରାଜୁ ସାହିର ଟି.ପୁଷ୍ପତି ଶ୍ରୀପ୍ରସାଦ, ଭୂପତି ପ୍ରସାଦ ରାଜୁ ଏବଂ କେଦାରନାଥ ରାଜୁକୁ ଗିରଫ କରିବା ସହ ୧୨୦ କେଜି ୪୦୦ ଗ୍ରାମ ଗଞ୍ଜେଇ ସହ ଏକ ବୋଲେରୋ ଜବତ କରିଥିଲା। ଅଭିଯୁକ୍ତମାନଙ୍କୁ  ଜେରା କରିବା ସମୟରେ ସେମାନେ ଚୋରା ଗଞ୍ଜେଇ ଚାଲାଣରେ ସହଯୋଗ କରିବାକୁ ପଟ୍ଟାଙ୍ଗି ଥାନାର ସବ୍ ଇନସ୍ପେକ୍ଟର ଗୋଲକ ବିହାରୀ ପଟ୍ଟନାୟକଙ୍କୁ ମୋଟା ଅଙ୍କର ଟଙ୍କା ଦେଉଥିବା କହିଥିଲେ। ଅଭିଯୁକ୍ତଙ୍କ ବୟାନ ଆଧାରରେ ସବ୍ ଇନସ୍ପେକ୍ଟର ଗୋଲକ ପଟ୍ଟନାୟକଙ୍କୁ ପଚରାଉଚୁରା କରିବା ସହ ତାଙ୍କ ବ୍ୟାଙ୍କ ଜମାଖାତା ଯାଞ୍ଚ କରିବାପରେ ସେ ଗିରଫ ଅଭିଯୁକ୍ତମାନଙ୍କ ଆକାଉଣ୍ଟରୁ ଟଙ୍କା ନେଇଥିବା ଜଣାପଡିଥିଲା। ଏସପି ମୁକେଶ କୁମାର ଭାମୁ ସବ୍ ଇନସ୍ପେକ୍ଟର ଗୋଲକ ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବନ କରିବା ପରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।