କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଉପନିବନ୍ଧକ କାର୍ଯ୍ୟାଳୟରେ ମାତ୍ର ୫ଘଣ୍ଟାରେ ଜମି ମାଲିକାନା ହସ୍ତାନ୍ତର ବିକ୍ରିନାମା ଦଲିଲର ପଞ୍ଜିକରଣ ଏବଂ ପଟ୍ଟା ପ୍ରଦାନ କରାଯାଇଛି। ଏହା କୋରାପୁଟ ଜିଲ୍ଲାରେ ପ୍ରଥମ ଘଟଣା ହୋଇଥିବାବେଳେ ପ୍ରଶାସନର ଏପରି କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରାଯାଇଛି। କୋରାପୁଟ ତହସିଲଦାର ରଞ୍ଜନ କୁମାର ମାନସେଠ ଓ ଅତିରିକ୍ତ ତହସିଲଦାର ସସ୍ମିତା କୁମାରୀ ଜେନାଙ୍କ ଉପସ୍ଥିତିରେ କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର, ନମିତା ଖରା, ଝରଣା ବିଶି, ସଚ୍ଚିଦାନନ୍ଦ ନାୟକ, ମିନତୀ ନାୟକ, ରମାକାନ୍ତ ନାୟକ ଓ ଦିଲ୍ଲୀପ କୁମାର ନାୟକ ନାମକ ୬ଜଣଙ୍କୁ ମାତ୍ର ୫ଘଣ୍ଟାରେ ଜମି ବିକ୍ରିନାମା ଦଲିଲ ଓ ପଟ୍ଟା ପ୍ରଦାନ କରିଛନ୍ତି।
ଜମି କିଣାବିକା ପରେ କ୍ରୟ କରିଥିବା ବ୍ୟକ୍ତିଙ୍କୁ ଜମିର କାଗଜପତ୍ର ପାଇଁ ଯେପରି ବାରମ୍ବାର ସବ ରେଜିଷ୍ଟାର ଅଫିସ ଦୌଡିବାକୁ ପଡିବନି ସେଥିପାଇଁ ରାଜସ୍ୱ ବିଭାଗ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ତହସିଲଦାର ରଞ୍ଜନ କୁମାର ମାନସେଠ କହିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ “ମୋ ସରକାର” କାର୍ଯ୍ୟକ୍ରମରେ ସାମିଲ ହେବାପରେ ଗୋଟିଏ ଦିନରେ ଜମି କିଣାବିକା କାଗଜପତ୍ର ମିଳିପାରିଛି।