ସ୍କୁଲ ପିଲାଙ୍କୁ ଘର କାମରେ ଲଗାଇଲେ ଶିକ୍ଷକ

କୋରୁକୋଣ୍ଡା,ଏନ୍ଏନ୍ଏସ୍ : ସରକାର ଗରିବ ପିଲାଙ୍କ ପାଠପଢ଼ା ପାଇଁ ମାଗଣା ବହି, ଖାତା, ଖାଦ୍ୟ, ରହିବା ପାଇଁ ହଷ୍ଟେଲ ସୁବିଧା କରିଛନ୍ତି। କେତେକ କ୍ଷେତ୍ରରେ ଶିଶୁଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ହଷ୍ଟେଲରେ ରଖି ଶିକ୍ଷାଦାନ ବ୍ୟବସ୍ଥା କରାଯାଉଥିବାବେଳେ ଏହାର ଓଲଟା ଚିତ୍ର ଦଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍‌ଭି-୭୯ ଅଞ୍ଚଳରେ। ଜଣେ ଶିକ୍ଷକ ସ୍ଥାନୀୟ ଷ୍ଟେଟବ୍ୟାଙ୍କ ନିକଟରେ ନିର୍ମାଣାଧୀନ ଦୁଇ ମହଲା କୋଠାରେ ୨ଜଣ ପିଲାଙ୍କୁ କାମରେ ନିୟୋଜିତ କରିଥିବା ଦେଖିବାକୁ ମିଳିଛି। ଉଭୟେ ସମ୍ପୃକ୍ତ ଶିକ୍ଷକଙ୍କ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି। ଶିକ୍ଷକ ଜଣକ ହେଉଛନ୍ତି ମଙ୍ଗଳ ମଣ୍ଡଳ। ଏମ୍‌ଭି-୧୧୨ ବିଦ୍ୟାଳୟରେ ସେ ସହକାରୀ ଶିକ୍ଷକ ରୂପେ  କାର୍ଯ୍ୟ କରନ୍ତି। ଏବେ ଲକ୍‌ଡାଉନ ଯୋଗୁ ବିଦ୍ୟାଳୟ ବନ୍ଦ ରହିଛି। ତେବେ ଶିକ୍ଷକ ମଣ୍ଡଳ ଗ୍ରାମରୁ ୨ ଜଣ ଛାତ୍ରଙ୍କୁ ଡକାଇ ସେମାନଙ୍କୁ କାର୍ଯ୍ୟରେ ଲଗାଇଥିଲେ। ଏହି ଛୋଟ ପିଲା ୨ ଜଣ ଇଟା ବୋହିବା କାର୍ଯ୍ୟରେ ଲାଗିଛନ୍ତି। ପାଖରେ ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ରହିଛି। ଟିକେ ଅସାବଧାନ ହେଲେ ଦୁର୍ଘଟଣା ଘଟିବା ସମ୍ଭାବନାକୁ ଏଡାଯାଇ ନ ପାରେ।

ଏ ସମ୍ପର୍କରେ ଶିକ୍ଷକ ମଣ୍ଡଳଙ୍କୁ ପଚାରିବାରୁ ସେ କହିଥିଲେ ଯେ, ପିଲାମାନେ କୁକୁର ସହ ଖେଳିବାକୁ ଆସିଥିଲେ। ସେଠାରେ ମିସ୍ତ୍ରୀମାନେ କାମ କରୁଥିଲେ। ବୋଧହୁଏ ମିସ୍ତ୍ରୀ ପିଲାଙ୍କୁ ଇଟା ମାଗିଛନ୍ତି। ଏହି ସମୟରେ କେହି ଫଟୋ ଉଠାଇ ପଠାଇଦେଇଛି । ସୂଚନାଯୋଗ୍ୟ ଯେ, ଶିକ୍ଷକ ମଣ୍ଡଳ ପୂର୍ବରୁ ଏମ୍‌ପିଭି-୮୩ ଗ୍ରାମ ବିଦ୍ୟାଳୟରେ ଥିବା ସମୟରେ ମଧ୍ୟାହ୍ନଭୋଜନ ଚାଉଳ ବିକ୍ରି କରିବା ଘଟଣାରେ ନିଲମ୍ବିତ ହୋଇଥିଲେ।