ଭାରତ ଓ ଚୀନ ମଧ୍ୟରେ ପୁଣି କମାଣ୍ଡରସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ,ଏଜେନ୍ସି : ଗତ ୧୫ ତାରିଖ ରାତିରେ ଲଦାଖର ଗଲୱାନ ଘାଟିରେ ଭାରତ ଓ ଚୀନ ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଅନେକ ଥର କଥାବର୍ତ୍ତା ହୋଇଥିଲେ ମଧ୍ୟ ଉତ୍ତେଜନା କମିବାର ନାଁ ଧରୁନାହିଁ। ଏହାକୁ ଦୃଷ୍ଟିରେ ରଖି ଭାରତ ଓ ଚୀନ୍ ପକ୍ଷରୁ ସୀମାରେ ଯବାନ ଓ ଯୁଦ୍ଧ ସରଞ୍ଜାମ ଠୁଳ କରାଯାଉଛି। ଅନ୍ୟପକ୍ଷରେ ସୋମବାର ମଧ୍ୟ ଦୁଇ ଦେଶର କୋର କମାଣ୍ଡରସ୍ତରୀୟ କଥାବର୍ତ୍ତା ଚୀନ୍ ଅଧିକୃତ ଲଦାଖର ମୋଲଦୋ ଠାରେ ଅନୁଷ୍ଠିତ ହୋଇଛି। ଗତ ଜୁନ୍ ୬ ତାରିଖ ପରେ ଏହା ହେଉଛି ୨ୟ କମାଣ୍ଡରସ୍ତରୀୟ କଥାବାର୍ତ୍ତା। ଜୁନ୍ ୬ ଆଲୋଚନାରେ ଦୁଇ ଦେଶର ନିଜ ନିଜର ଯବାନଙ୍କୁ ମେ ମାସ ପୂର୍ବବର୍ତ୍ତୀ ସ୍ଥାନକୁ ଫେରାଇ ନେବାକୁ ରାଜି ହୋଇଥିଲେ ମଧ୍ୟ ଚୀନ୍ ସେନା ତାହାକୁ ମାନିନଥିଲା।  ଚୀନ ଏ ପର୍ଯ୍ୟନ୍ତ ସୈନ୍ୟ ପ୍ରତ୍ୟାହାର ପାଇଁ ରାଜି ହେଉନଥିବା ସୂଚନା ମିଳିଛି।