‘ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍’: ଗ୍ଲାମରସ୍ କ୍ୟାମ୍ପିଂର ମଜାନେବେ ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୧୪ ତାରିଖରୁ ଆରମ୍ଭ ହୋଇଛି ‘ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍’। ଓଡ଼ିଶା ପର୍ଯ୍ୟଟନର ମାନଚିତ୍ରକୁ ବଦଳାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ଫେଷ୍ଟିଭାଲରେ ଦେଶ ବିଦେଶର ପର୍ଯ୍ୟଟକ ପ୍ରଥମଥର ପାଇଁ ‘ଗ୍ଲାମରସ୍ କ୍ୟାମ୍ପିଂ’ର ମଜା ନେଇପାରିବେ। ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ପୁର୍ବ ଭାରତର ଏହି ପ୍ରଥମ ‘ଗ୍ଲାମ୍ପିଂ’ ଫେଷ୍ଟିଭାଲ୍ ରାମଚଣ୍ଡି ବିଚ୍ ରେ ୧୪ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ଲକ୍ଜରୀ କଟେଜ୍, ଆଡଭେଞ୍ଛର ସ୍ପୋର୍ଟର୍ସ, ବିଚ୍ ସ୍ପା, ବିଚ୍ ଭଲିବଲ୍, ସେଲିବ୍ରେଟି ଡିଜେ ଆଦି ସହ ମନପସନ୍ଦ ଖାଦ୍ୟ ଉପଲବ୍ଧ ହେବ। କୋଣାର୍କକୁ ଦିନିକିଆ ପର୍ଯ୍ୟଟନସ୍ଥଳୀରୁ ରହଣୀ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ଆୟୋଜିତ ହେବାକୁ ଥିବା ଏହି ଉତ୍ସବ ଦେଢମାସ ବ୍ୟାପୀ ଚାଲିବ।

ଏଥିପାଇଁ ୫୦ଟି ଲକ୍ଜୁରୀ କଟେଜ୍ ରହିବାପାଇଁ ପର୍ଯ୍ୟଟକଙ୍କ ପାଇଁ ସୁସ୍ୱାଦୁ ଖାଦ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଆକ୍ଟିଭିଟିଜ୍ର ବ୍ୟବସ୍ଥା କରାଯାଇଛି। ଉତ୍ସବକୁ ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ କରାଯିବ। ୪.୮୨ କୋଟି ଟଙ୍କାର ବ୍ୟୟ ବରାଦରେ ହେଉଥିବା ଏହି ଉତ୍ସବ ସାଧାରଣ ଲୋକ ଓ ଇନହାଉସ୍ ପର୍ଯ୍ୟଟକଙ୍କ ପାଇଁ ଖୋଲାରହିବ ବୋଲି ସ୍ଥାନୀୟ ପାନ୍ଥନିବାସରେ ଆୟୋଜିତ ବୈଠକରେ ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ କହିଛନ୍ତି।

ଉତ୍ସବକୁ ୩ଟି ଜୋନ୍ ରେ ବିଭକ୍ତ କରାଯାଇଥିବାବେଳେ କେବଳ ପବ୍ଲିକ୍ ଏରିଆକୁ ସାଧାରଣ ଲୋକଙ୍କୁ ଛଡାଯିବ। ଇନହାଉସ୍ ଅଞ୍ଚଳରେ କଟେଜ୍ ବୁକିଂ କରିଥିବା ପର୍ଯ୍ୟଟକମାନେ ରହିପାରିବେ। ଏବେ ସୁଦ୍ଧା ୧୮୪ଟି ବୁକିଂ ହୋଇଛି। ସ୍ୱତନ୍ତ୍ର ଏରିଆରେ ପ୍ରତି ସନ୍ଧ୍ୟାରେ ଓଡ଼ିଶାର ଲୋକକଳା, ନୃତ୍ୟସଙ୍ଗୀତ ପରିବେଷଣ କରାଯିବ। ପ୍ରତି ଶନିବାର ସନ୍ଧ୍ୟାରେ ‘ୟୁଫୋରିଆ’, ଇଣ୍ଡିଆନ୍ ଓସେନ୍ ଭଳି ବ୍ୟାଣ୍ଡ୍ ସହ ହର୍ଷଦୀପ୍ କୌର, ବେନି ଦୟାଲ, ମାମେ ଖାନ୍, ସଲିଲ୍ ସୁଲେମାନ୍, କ୍ରୀଷ୍ଣା ବେଉରା, ଦିବ୍ୟ କୁମାର ଓ ପାପନ୍ ଲାଇଭ୍ ମ୍ୟୁଜିକ୍ ପରିବେଷଣ କରିବେ। ଏଥିପାଇଁ ପ୍ରବେଶ ମୂଲ୍ୟ ୫୦ଟଙ୍କା ରହିବ। ୪ଟି ଅସ୍ଥାୟୀ ରେଷ୍ଟୁରାଣ୍ଟ୍ କରାଯାଇ ସେଥିରେ ଓଡ଼ିଆ ଓ ଦେଶୀବିଦେଶୀ ଖାଦ୍ୟ ପରସା ଯିବ।

ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ମଧ୍ୟ ସ୍ୱତନ୍ତ୍ର ଷ୍ଟଲ୍ ଖୋଲାଯିବ। ଏହାସହିତ ବାଲୁଖଣ୍ଡ ଅଭୟାରଣ୍ୟରେ ନେଚର୍ ଟ୍ରେଲ୍ ସହ ଟେମ୍ପୁଲ୍ ଟୁର୍ ଏବଂ ଇକୋଲୋଜିକାଲ୍ ଟୁର୍ ହେବ। ଏହାବ୍ୟତିତ ଜେଟ୍-ସ୍କି, ସ୍ପିଡ୍ ବୋଟିଂ, ୱାଟର ରୋଲର୍, ରାଇଫଲ୍ ସୁଟିଂ ଆଦିଭଳି ବିଭିନ୍ନ ଆଡ୍ଭେଞ୍ଚର ସ୍ପୋର୍ଟସର ବ୍ୟବସ୍ଥା କରାଯିବ। ଗୁଜୁରାଟର କଚ୍ଛ୍ ରଣ୍ ଉତ୍ସବ ଢାଞ୍ଚାରେ ଏହି ଇକୋ ରିଟ୍ରିଟ୍ ଉତ୍ସବ ପାଳନ କରାଯିବ।

‘ମାଇସ୍ ଟୁରିଜିମ୍’କୁ ନଜରରେ ରଖି ସ୍ୱତନ୍ତ୍ର କନ୍ଫରେନ୍ସ୍ ହଲ୍ କରାଯାଇଥିବାବେଳେ ସ୍ୱତନ୍ତ୍ର କର୍ପୋରେଟ୍ ପ୍ୟାକେଜ୍ କରାଯାଇଛି। ଅନଲାଇନ୍ ବୁକିଂ ପାଇଁ ପର୍ଯ୍ୟଟକମାନେ https://ecoretreat.odishatourism.gov.in/ Gaõ ecoretreat@panthanivas.com info@odishatourism.gov.in ବ୍ୟବହାର କରି ଅଧିକ ତଥ୍ୟ ଦେଖିପାରିବେ ବୋଲି ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ୍ ଆର୍ ଯାଦବ କହିଛନ୍ତି।