ଯନ୍ତ୍ରଣା ସହିନପାରି ଦେହରେ ନିଆଁ ଲଗେଇଦେଲେ

ବାରିପଦା,ଏନ୍ଏନ୍ଏସ୍: ଜଣେ ଏଚ୍ଆଇଭି ସଂକ୍ରମିତ ରୋଗୀ ଯନ୍ତ୍ରଣା ସହିନପାରି ଆତ୍ମହତ୍ୟା କରିଛନ୍ତି। ଏହିଭଳି ଏକ ଅଭାବନୀୟ ଘଟଣା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବଡ଼ପଳସା ପଞ୍ଚାୟତର ସୁନାପୋଷି ଗ୍ରାମରେ। ଦୀର୍ଘ ୪ ବର୍ଷ ହେଲାଣି ଏଚ୍ଆଇଭି ରୋଗରେ ଆକ୍ରାନ୍ତ ଉକ୍ତ ଗ୍ରାମର ରବୀନ୍ଦ୍ର ତାମୁଡିଆ (୪୦) ଶୁକ୍ରବାର ଅପରାହ୍ଣରେ କଷ୍ଟ ସହିନପାରି ନିଜ ଘରେ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଛନ୍ତି।

ବାପା ମାଆ ପୂର୍ବରୁ ମୃତ୍ୟୁବରଣ କରିସାରିଥିବାବେଳେ ଅବିବାହିତା ଯୁବକ ଜଣକ ରବୀନ୍ଦ୍ର ଗ୍ରାମ ମୁଣ୍ଡରେ ଏକୁଟିଆ ରହୁଥିଲେ। ତାଙ୍କର ଏକମାତ୍ର ଭାଇ ବାହାରେ ରହି କାମଦାମ କରିନ୍ତି। ଗାଁ ଲୋକଙ୍କ କହିବା ଅନୁଯାୟୀ ସିଏ ଅନେକ ସମୟରେ ବିକାରଗ୍ରସ୍ଥ ରହୁଥିଲେ। ତେଣୁ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

ଦିନ ପାଖାପାଖି ୨ ଟା ସମୟରେ ନିଆଁ ଲାଗି ନିଜ ଘର ସମ୍ମୁଖରେ ପଡ଼ିଯାଇଥିଲେ। ତାଙ୍କୁ ପାଖ ପଡ଼ୋଶୀ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ। ଦେହର ଶତ ପ୍ରତିଶତ ପୋଡ଼ିଯାଇଥିଲା। ତେଣୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ପୁଲିସ ଡାକ୍ତରଖାନା ପହଞ୍ଚି ଶବ ଜବତ କରିବାସହ ଏ ବିଷୟରେ ଅଧିକ ତଦନ୍ତ ଜାରିରଖିଛି।