କୋଲକାତା,ଏଜେନ୍ସି: କୋଲକାତା ମ୍ୟୁନିସିପାଲ କର୍ପୋରେସନ ପାଇଁ ରବିବାର ଭୋଟଗ୍ରହଣ କରାଯାଇଛି। ସିଆଲଦା ଓ ଖାନ୍ନା ଅଞ୍ଚଳରେ ବୁଥ୍ ଉପରକୁ ବୋମାମାଡ଼ କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡିଛି। ଏହାସତ୍ତ୍ୱେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ବୋମାମାଡରେ ୩ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
କେତେକ ୱାର୍ଡରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ଗୁଣ୍ଡାମାନେ ବିଜେପି ଓ ସିପିଏମ୍ ଏଜେଣ୍ଟଙ୍କୁ ବୁଥ୍ରେ ପ୍ରବେଶ କରିବାକୁ ଦେଇନଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସିପିଏମ୍ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କିଛି ସମୟ ପାଇଁ ରାସ୍ତାରୋକ ମଧ୍ୟ କରିଥିଲେ। ଅପରପକ୍ଷରେ ବିଜେପି ଓ ସିପିଏମ୍ ଗୁଣ୍ଡାମାନେ ସେମାନଙ୍କ ପ୍ରାର୍ଥୀଙ୍କୁ ଆକ୍ରମଣ କରିଛନ୍ତି ବୋଲି ଟିଏମ୍ସି ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି।